ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି।
ଜ୍ୟେଷ୍ଠ ମଳମାସର ଅମାବାସ୍ୟା ଯୁକ୍ତ ପ୍ରତିପଦା ତିଥିରେ ପରମ୍ପରାନୁସାରେ ବାଲୁଙ୍କେରଶ୍ୱର ବାବାଙ୍କ ପୀଠରେ ସୋମବାର ସକାଳେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବେଶ ନୀତିରେ ସେବାୟତମାନେ ଠାକୁରଙ୍କୁ ସୁନା ଓ ରୁପା ଏବଂ ଫୁଲରେ ସଜ୍ଜିତ କରିଥିଲେ। ପରେ ରାତି ୮ଟାରେ ନନ୍ଦପଡ଼ା ଛକଠାରେ ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ରଥାରୁଢ଼ ନୃସିଂହଙ୍କ ପୂଜାର୍ଚ୍ଚନା କରିଥିବାବେଳେ ବରପିତା ରାମ ଚରଣ ମିଶ୍ର ମହାଆଳତୀ କରିଥିଲେ।
ନୀତି ଅନୁସାରେ ବାଲୁଙ୍କେଶ୍ୱର ବାବା ଓ ଦେବୀ ପାର୍ବତୀଙ୍କ ଲୌକିକ ବିବାହ ଦେବଦେବୀଗଣ ସାମିଲ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁ ନୃସିଂହ ସୁସଜ୍ଜିତ ବିମାନରେ ଆରୁଢ଼ ହୋଇ ଦେବ ନିମନ୍ତ୍ରଣ କରିଥିଲେ। ଶୋଭାଯାତ୍ରାରେ ଶଙ୍ଖ, ଘଣ୍ଟ, ଦୁଲଦୁଲି, ଧମାଲ ବାଦ୍ୟ, ମୟୂର ଝାଲ ନୃତ୍ୟ, ମେଲୋଡି, ସୁସଜ୍ଜିତ ରଥ, ଆକର୍ଷଣୀୟ ପରଭା (ସୂର୍ଯ୍ୟ ରଥ ଓ ସୁଦର୍ଶନ ଚକ୍ର ଥିମ), ଡିଜିଟାଲ ଓ ପାରମ୍ପରିକ ଆଲୋକମାଳା ସାମିଲ କରାଯାଇଥିଲା।
ଭକ୍ତ ଓ ବାଦ୍ୟର ତାଳରେ ମହାପ୍ରଭୁ ନୃସିଂହ ସୁସଜ୍ଜିତ ବିମାନରେ ଆରୁଢ଼ ହୋଇ ନଗର ପରିକ୍ରମା କରିଥିଲେ। ପ୍ରଥମେ ବାଲୁଙ୍କେଶ୍ୱର ମନ୍ଦିର ପରିସରସ୍ଥ ପଞ୍ଚବତ୍ର ଓ ହନୁମାନଙ୍କୁ ନିଉତା ଦେଇଥିଲେ। ଏହାପରେ ନନ୍ଦପଡ଼ା ଯଜ୍ଞବରାହ, ବ୍ରହ୍ମପୁରା ଜଗନ୍ନାଥ, ଶ୍ରୀଶ୍ରୀଲୋକନାଥ ବାବା, ଦକ୍ଷିଣେଶ୍ୱର ହନୁମାନ, ଭୈରବୀ, କୋଶଳେଶ୍ୱର ମନ୍ଦିର, ମାରୱାଡିପଡ଼ା ରାମ, ମହାଦେବ, ହାଟପଦା ସତ୍ୟବାଦୀ, ଦଲେଇପଡ଼ା ମଦନମୋହନ, ଭାଗବତ ମନ୍ଦିର, ଲିଆଖାଇ, ବାଟମଙ୍ଗଳା, ଗୁପ୍ତେଶ୍ୱର, ମ୍ୟୁନିସିପାଲିଟି ଛକ ହନୁମାନ ମନ୍ଦିର, ପୀରବାବା ଛକ ଭୁବନେଶ୍ୱରୀ ମନ୍ଦିର, ବୈଦ୍ୟନାଥ ଛକ ହନୁମାନ ଓ କାନ୍ଥ ଦୁର୍ଗା, କଂସାରୀପଡା ରାଧାକୃଷ୍ଣ, ମହାନ୍ତିପଡା ଦଧିବାମନ ମନ୍ଦିରରେ ବାଲୁଙ୍କେଶ୍ୱର ବାବା ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଦେବ ନିମନ୍ତ୍ରଣ (ଗୁଆଗୁଡା) ଦେଇଥିଲେ।
ଅନ୍ୟପକ୍ଷେ ଶୀତଳଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଉଭୟ ସୁରକ୍ଷା ଓ ଶୃଙ୍ଖଳା ଉପରେ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେଉଥିବା ବେଳେ ୮୦ ପ୍ଲାଟୁନ ପୋଲିସ ମୁତୟନ ହେବା ନେଇ ଅତିରିକ୍ତ ଏସ୍ପି ଶଶାଙ୍କ ଶେଖର ବେଉରା ସୂଚନା ଦେଇଛନ୍ତି।