କୃଷି ଶିକ୍ଷାର ହବ୍‌ ହେବ ଏନ୍‌ଆର୍‌ଆର୍‌ଆଇ

କଟକ ଅଫିସ,୨୦ା୪: କଟକ ଉପକଣ୍ଠ ବିଦ୍ୟାଧରପୁରଠାରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନ୍‌ଆର୍‌ଆର୍‌ଆଇ) କୃଷି ଶିକ୍ଷାର ହବ୍‌ ପାଲଟିବ। ଏହି ଐତିହାସିକ ପ୍ରତିଷ୍ଠାନ କୃଷି ଗବେଷଣା ସହ ଶିକ୍ଷାଦାନର ଏକ ପ୍ରମୁଖ ପ୍ରତିଷ୍ଠାନ ହେବ। କୃଷିଶିକ୍ଷା ନିମନ୍ତେ ଚୟନ ହୋଇଥିବା ଦେଶର ପ୍ରମୁଖ ୧୫ଟି ସହର ମଧ୍ୟରେ କଟକ ସାମିଲ ହୋଇ ଗୌରବ ବୃଦ୍ଧି କରିଛି। ଚଳିତବର୍ଷ ପ୍ରଥମଥର ପାଇଁ ଛାତ୍ରୀଛାତ୍ରମାନେ ୩ ପ୍ରକାର ପାଠ୍ୟକ୍ରମ (ବିଏସ୍‌.ସି. ଏଜି, ଏମ୍‌ଏସ୍‌.ସି. ଏଜି. ଓ ପିଏଚ୍‌.ଡି.)ରେ ନାମ ଲେଖାଇବାର ସୁଯୋଗ ପାଇବେ ବୋଲି ପ୍ରତିଷ୍ଠାନ ପକ୍ଷରୁ ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ନୂତନ ଶିକ୍ଷାନୀତି ପ୍ରଣୟନ ହେବା ପରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଧୀନରେ ଦେଶର ୧୫ଟି ସହରରେ କୃଷିଶିକ୍ଷାର ହବ୍‌ ପ୍ରତିଷ୍ଠା କରାଯାଇଛି। ହାଇଦ୍ରାବାଦ, କୋଲକାତା, ପୁଣେ, ପାଟ୍‌ନା, ଲକ୍ଷ୍ମୌ, ରାୟପୁର ଭଳି କଟକ ଏଥିରେ ସ୍ଥାନ ପାଇଛି। କଟକସ୍ଥିତ ଏନ୍‌ଆର୍‌ଆର୍‌ଆଇରେ ୩ଟି ପାଠ୍ୟକ୍ରମରେ ୬୦ଟି ସିଟ୍‌କୁ ଅନୁମୋଦନ ମିଳିଛି। ସେଥିମଧ୍ୟରେ ବିଏସ୍‌ସି ଏଜି ପାଠ୍ୟକ୍ରମରେ ୩୦, ଏମ୍‌ଏସ୍‌ସି ଏଜି ପାଠ୍ୟକ୍ରମରେ ୨୦ ଓ ପିଏଚ୍‌ଡି ପାଠ୍ୟକ୍ରମରେ ୧୦ଟି ସିଟ୍‌ ରହିଛି। ଚଳିତବର୍ଷଠାରୁ ପାଠପଢ଼ା ଆରମ୍ଭ ହେବା ନିମନ୍ତେ ଜାତୀୟ ସ୍ତରରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରୀଛାତ୍ରମାନେ ଆବେଦନ କରିଛନ୍ତି। ଜୁଲାଇରେ ନାମଲେଖା ହେବା ପରେ ଅଗଷ୍ଟରୁ ପାଠପଢ଼ା ଆରମ୍ଭ ହେବ। ଦୀର୍ଘବର୍ଷ ଧରି ଏହି ପ୍ରତିଷ୍ଠାନ ବିଶ୍ୱକୁ ନୂଆ ନୂଆ କିସମର ଧାନ ଉତ୍ପାଦନ କରି ଭେଟି ଦେଇଥିବାବେଳେ ଏବେ ପୁଣି ଶିକ୍ଷାକ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବାକୁ ଯାଉଛି, ଯାହାକୁ ନେଇ ଓଡ଼ିଶା ସମେତ ରାଜ୍ୟ ବାହାରର ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ କହିଛନ୍ତି, ପ୍ରତିଷ୍ଠାନ ଭିତ୍ତିଭୂମି ଅନୁସାରେ ୬୦ଟି ସିଟ୍‌ରେ ପାଠପଢ଼ା ନିମନ୍ତେ ଅନୁମୋଦନ ମିଳିଛି। ଆଗାମୀ ଦିନରେ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ସିଟ୍‌ ସଂଖ୍ୟା ବଢ଼ିବା ନେଇ ଆଶାବାଦୀ ରହିଛୁ। ଚଳିତବର୍ଷ ପାଠପଢ଼ା ନିମନ୍ତେ ସ୍ମାର୍ଟ କ୍ଲାସ୍‌ ରୁମ୍‌ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା, ଉପକରଣ ରହିଛି। ଶିକ୍ଷାଦାନ ନିମନ୍ତେ ଏଠାରେ ୧୦୦ ଜଣ କୃଷି ବୈଜ୍ଞାନିକ ଅଛନ୍ତି। ଛାତ୍ରୀଛାତ୍ରଙ୍କ ରହିବା ନିମନ୍ତେ ହଷ୍ଟେଲ ରହିଛି। ନୂଆ ଶିକ୍ଷାନୀତି ଅନୁଯାୟୀ କୃଷିଶିକ୍ଷା ନିମନ୍ତେ ସବୁପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରହିଛି। ପୂର୍ବରୁ ରାୟପୁର ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ ସମେତ ଓୟୁଏଟି, ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ସୋଆ, ଶାନ୍ତି ନିକେତନକୁ ଛାତ୍ରୀଛାତ୍ରମାନେ ସେମାନଙ୍କର ଥେସିସ୍‌ ପ୍ରସ୍ତୁତ କରିବା ନିମନ୍ତେ ଆସୁଥିଲେ। ହେଲେ ଏବେ ଏଠାରେ ଅନୁମୋଦିତ ୩ଟି ପାଠ୍ୟକ୍ରମରେ ପାଠପଢ଼ା ହେବ, ଯାହା ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିବ।