ଭୁବନେଶ୍ୱର,୧୦ା୬(ସୁଚିସ୍ମିତା ସାହୁ): ଚଳିତ ବର୍ଷରୁ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ଏବେ ସେଥିରେ କୋହଳ କରାଯାଇଛି। ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ, ସେମାନେ ମଧ୍ୟ ଆଡ୍ମିଶନ କରିପାରିବେ। ପରବର୍ତ୍ତୀ ସମୟରେ ପିଲାମାନେ ସ୍କୁଲରେ ନିଜ ଆଧାର କାର୍ଡର କପି ଦାଖଲ କରିପାରିବେ। ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ଓ କେମିତି ସେମାନଙ୍କର ଆଧାର କାର୍ଡ ହୋଇପାରିବ, ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ଏଥିସହ ମନ୍ତ୍ରୀ କହିଲେ, ସ୍କୁଲ ଡ୍ରପ୍ ଆଉଟ ହାର କମାଇବା ପାଇଁ ଚେଷ୍ଟା କରାଯାଉଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଚାଇଲ୍ଡ ଟ୍ରାକିଂ ସର୍ଭେ ଆରମ୍ଭ କରାଯାଇଛି। କେଉଁ କାରଣରୁ ପିଲାମାନେ ଡ୍ରପ୍ ଆଉଟ ହେଉଛନ୍ତି। ଅଭିବାବକମାନେ କାହିଁକି ପିଲାଙ୍କୁ ସ୍କୁଲକୁ ଛାଡୁନାହାନ୍ତି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ୧୮ ବର୍ଷ ବୟସର ପିଲାଙ୍କୁ ଏହି ସର୍ଭେରେ ସାମିଲ କରାଯାଇଛି। ଶିକ୍ଷକମାନେ ଘର ଘର ବୁଲି ପିଲାଙ୍କ ତଥ୍ୟ ଆଣୁଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ପଦକ୍ଷେପ ନେବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଡ୍ରପ୍ ଆଉଟ୍ କମାଇବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ଏସ୍ସି /ଏସଟି ଛାତ୍ରୀଛାତ୍ରଙ୍କ ଡ୍ରପ୍ ଆଉଟ ହାର କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି। ତେଣୁ ସରକାରଙ୍କ ପଦକ୍ଷେପ ଯୋଗୁ ଚଳିତବର୍ଷ ପ୍ରାଥମିକ ସ୍ତରରେ ଅଧିକ ପିଲା ଆଡ଼ମିଶନ କରିଛନ୍ତି। ସରକାରୀ ସ୍କୁଲରେ ଅଧିକ ସଂଖ୍ୟାର ପିଲାମାନେ କିପରି ନାମ ଲେଖାଇବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି।


