ନୂଆଦୀଲ୍ଲୀ,୩୧।୧୦: ନଭେମ୍ୱର ମାସ ଆରମ୍ଭ ହେବା ମାତ୍ରେ ଟଙ୍କା ଏବଂ ଟିକସ ସମ୍ୱନ୍ଧୀୟ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏହାର ସିଧାସଳଖ ପ୍ରଭାବ ପେନସନଭୋଗୀ, ଟିକସଦାତା, ମ୍ୟୁଚୁଆଲ ଫଣ୍ଡ ନିବେଶକ ଏବଂ ବ୍ୟବସାୟୀଙ୍କ ଉପରେ ପଡ଼ିବ। ନଭେମ୍ୱର ୧ରୁ ମ୍ୟୁଚୁଆଲ ଫଣ୍ଡର ଡାଇରେକ୍ଟ ପ୍ଲାନକୁ ନେଇ ନୂଆ ନିୟମ ଲାଗୁ ହେବ। ଅନ୍ୟପଟେ, ପେନସନଭୋଗୀମାନଙ୍କୁ ମାସ ଶେଷ ସୁଦ୍ଧା ଲାଇଫ ସାର୍ଟିଫିକେଟ (ଜୀବନ ପ୍ରମାଣପତ୍ର) ଦାଖଲ କରିବାକୁ ପଡ଼ିବ। ଏହା ବ୍ୟତୀତ GST ନିୟମରେ ପରିବର୍ତ୍ତନ ଏବଂ ଅଡିଟ ବର୍ଗର ଟିକସଦାତାଙ୍କ ପାଇଁ ITR ଦାଖଲ କରିବାର ନୂଆ ଡେଡଲାଇନ ମଧ୍ୟ ସ୍ଥିର କରାଯାଇଛି। ଆସନ୍ତୁ ଜାଣିବା ଏହି ମାସରେ କ’ଣ କ’ଣ ବଦଳିବାକୁ ଯାଉଛି। ଏଠାରେ ଆମେ ଆପଣଙ୍କୁ ନଭେମ୍ୱରରେ ହେବାକୁ ଥିବା ୬ଟି ବଡ଼ ପରିବର୍ତ୍ତନ ବିଷୟରେ ଗୋଟିଏ ପରେ ଗୋଟିଏ ଜଣାଉଛୁ:
ନଭେମ୍ୱର ୧ରୁ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀଗୁଡ଼ିକର (AMCs) ଡିଜିଟାଲ ପ୍ଲାଟଫର୍ମରେ ମ୍ୟୁଚୁଆଲ ଫଣ୍ଡ୍ର ଡାଇରେକ୍ଟ ପ୍ଲାନ ଡିଫଲ୍ଟ ବିକଳ୍ପ ହେବ। SEBI ଅଧ୍ୟକ୍ଷ ତୁହିନ କାନ୍ତ ପାଣ୍ଡେ NDTV Profit Ignite ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ନିବେଶକ ରେଗୁଲାର୍ ପ୍ଲାନ ବାଛନ୍ତି, ତେବେ ତାଙ୍କୁ ପ୍ରଥମେ ଏହାର ଅଧିକ ଏକ୍ସପେନ୍ସ ରେସିଓ (ଖର୍ଚ୍ଚ ଅନୁପାତ) ବିଷୟରେ ଜଣାଇ ଦିଆଯିବ। ଅର୍ଥାତ, ଏଣିକି ଅନଲାଇନ ନିବେଶ କଲାବେଳେ ନିବେଶକମାନଙ୍କୁ Direct ଏବଂ Regular Plan ର ଖର୍ଚ୍ଚ ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବାର ସୁଯୋଗ ମିଳିବ।
ନଭେମ୍ୱର ୧ରୁ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ GST ସମ୍ୱନ୍ଧୀୟ କିଛି ନିୟମ ବଦଳିବାକୁ ଯାଉଛି। ସରକାର ଅକ୍ଟୋବର ୨୬ରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ନୂତନ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ବିକ୍ରୟ ପରବର୍ତ୍ତୀ ରିହାତି (ପୋଷ୍ଟ-ସେଲ ଡିସକାଉଣ୍ଟ) ନିୟମ ଏବଂ ଇନଭର୍ଟେଡ ଡ୍ୟୁଟି ଷ୍ଟ୍ରକଚର୍ ଥିବା ବ୍ୟବସାୟୀଙ୍କୁ ଶୀଘ୍ର ପ୍ରୋଭିଜନାଲ ରିଫଣ୍ଡ ଦେବାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବ୍ୟବସାୟୀମାନଙ୍କ ପାଇଁ GST ପ୍ରକ୍ରିୟାକୁ ସହଜ କରିବା ଏବଂ ସେମାନଙ୍କ କ୍ୟାଶ ଫ୍ଲୋ (ନଗଦ ପ୍ରବାହ)କୁ ଉନ୍ନତ କରିବା।
ଆୟକର ରିଟର୍ଣ୍ଣ ଦାଖଲ କରୁଥିବା କିଛି ଟିକସଦାତାଙ୍କୁ ଆଶ୍ୱସ୍ତି ମିଳିଛି। ଆୟକର ବିଭାଗ ଆକଳନ ବର୍ଷ (Assessment Year) ୨୦୨୬-୨୭ ପାଇଁ ଅଡିଟ ଅନ୍ତର୍ଭୁକ୍ତ ଟିକସଦାତାଙ୍କ ITR ଦାଖଲର ଶେଷ ତାରିଖକୁ ଅକ୍ଟୋବର ୩୧ରୁ ବୃଦ୍ଧି କରି ନଭେମ୍ୱର ୨୧, ୨୦୨୬ କରିଦେଇଛି। ଏଥିରେ ର୍ନିଦ୍ଦିଷ୍ଟ ଅଡିଟ ନିୟମ ଅଧୀନରେ ଆସୁଥିବା ବ୍ୟବସାୟୀ, ପ୍ରଫେସନାଲ, ଫାର୍ମ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ଆଶ୍ୱସ୍ତି ମିଳିବ। ତେବେ ଏହି ଛାଡ଼ ସମସ୍ତ ଟିକସଦାତାଙ୍କ ପାଇଁ ନୁହେଁ। ITR-1 ଏବଂ ITR-2 ଦାଖଲ କରୁଥିବା ସାଧାରଣ ଲୋକଙ୍କ ନିୟମିତ ଡେଡଲାଇନ ପୂର୍ୱରୁ ହିଁ ଶେଷ ହୋଇସାରିଛି। ଯେଉଁମାନଙ୍କର ଧାର୍ଯ୍ୟ ସମୟ ସୀମା ପାର ହୋଇଯାଇଛି, ସେମାନେ ବିଳମ୍ୱ ଶୁଳ୍କ (Late fee) ସହିତ ଡିସେମ୍ୱର ୩୧ ସୁଦ୍ଧା ବିଲେଟେଡ ରିଟର୍ଣ୍ଣ ଦାଖଲ କରିପାରିବେ।
ପେନସନ ପାଉଥିବା ଲୋକଙ୍କ ପାଇଁ ନଭେମ୍ୱର ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ଡେଡଲାଇନ ରହିଛି। ସମସ୍ତ ପେନସନଭୋଗୀଙ୍କୁ ନଭେମ୍ୱର ୩୦ ସୁଦ୍ଧା ସେମାନଙ୍କର ବାର୍ଷିକ ଜୀବନ ପ୍ରମାଣପତ୍ର ଅର୍ଥାତ Life Certificate ଜମା କରିବାକୁ ପଡ଼ିବ। ୮୦ ବର୍ଷ ବା ତହିଁରୁ ଅଧିକ ବୟସର ପେନସନଭୋଗୀଙ୍କ ପାଇଁ ଏହି ସୁବିଧା ଅକ୍ଟୋବର ୧ରୁ ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ, ବାକି ପେନସନଭୋଗୀମାନେ ନଭେମ୍ୱର ୧ରୁ ନିଜର ପ୍ରମାଣପତ୍ର ଜମା କରିପାରିବେ। ଏଥିପାଇଁ ସେମାନେ ବ୍ୟାଙ୍କ ଶାଖାକୁ ଯାଇପାରିବେ କିମ୍ୱା ଆଧାର ଆଧାରିତ ପ୍ରାମାଣୀକରଣ (Aadhaar authentication) ଜରିଆରେ ଡିଜିଟାଲ ଜୀବନ ପ୍ରମାଣ (Jeevan Pramaan) ଦାଖଲ କରିପାରିବେ। ଯେଉଁଠାରେ ସୁବିଧା ଉପଲବ୍ଧ, ସେଠାରେ ଡାକଘରର ଡୋରଷ୍ଟେପ ସେବା ମଧ୍ୟ ବ୍ୟବହାର କରାଯାଇପାରିବ। ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ କରିବା ପାଇଁ ସରକାର ନଭେମ୍ୱର ୧ରୁ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରୁଛନ୍ତି, ଯାହାଦ୍ୱାରା ପେନସନଭୋଗୀମାନେ ଘରେ ବସି ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଧ୍ୟାନ ରଖନ୍ତୁ, ଧାର୍ଯ୍ୟ ତାରିଖ ସୁଦ୍ଧା ଲାଇଫ ସାର୍ଟିଫିକେଟ ଜମା ନକଲେ ପେନସନ ଅଟକି ଯାଇପାରେ।
1 November Rules Change: ଯଦି ଆପଣ ଫିକ୍ସଡ ଡିପୋଜିଟ (FD) ରେ ଟଙ୍କା ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ନଭେମ୍ୱରରେ ବିଭିନ୍ନ ବ୍ୟାଙ୍କର ନୂଆ ସୁଧହାର ଅପଡେଟ ହେବ, ତାହା ନିଶ୍ଚୟ ଯାଞ୍ଚ କରନ୍ତୁ। ନିକଟରେ ଅନେକ ବ୍ୟାଙ୍କ FD ଉପରେ ସୁଧହାର ପରିବର୍ତ୍ତନ କରିଛନ୍ତି। ନଭେମ୍ୱରରେ ମଧ୍ୟ କିଛି ବ୍ୟାଙ୍କ FD ଦର ବଦଳାଇ ପାରନ୍ତି। ତେବେ ପ୍ରତ୍ୟେକ ବ୍ୟାଙ୍କ ଏବଂ FD ର ଅବଧି ଅନୁଯାୟୀ ସୁଧହାରରେ ପରିବର୍ତ୍ତନ ଭିନ୍ନ ହୋଇପାରେ। ତେଣୁ ନିବେଶ କରିବା ପୂର୍ୱରୁ ବିଭିନ୍ନ ବ୍ୟାଙ୍କର ସର୍ୱଶେଷ ସୁଧହାର ନିଶ୍ଚୟ ଯାଞ୍ଚ କରିନିଅନ୍ତୁ।
ସଭରେନ ଗୋଲ୍ଡ ବଣ୍ଡ୍ରେ ନିବେଶ କରିଥିବା ଲୋକଙ୍କ ପାଇଁ ମଧ୍ୟ ନଭେମ୍ୱର ମାସଟି ବିଶେଷ। ଏହି ମାସରେ ଚାରୋଟି ସିରିଜ୍ର ବଣ୍ଡ୍ରୁ ସମୟ ପୂର୍ୱରୁ ଟଙ୍କା ଉଠାଇବା ଅର୍ଥାତ୍ Premature Redemption ର ସୁଯୋଗ ମିଳିବ। ଏଥିମଧ୍ୟରେ 2020-21 Series VII ର ରିଡେମ୍ପସନ ତାରିଖ ନଭେମ୍ୱର ୨, 2020-21 Series VIII ର ନଭେମ୍ୱର ୧୮ ଏବଂ 2020-21 Series II ର ନଭେମ୍ୱର ୧୯ ଧାର୍ଯ୍ୟ କରାଯାଇଛି। ସେହିପରି 2021-22 Series I ର ନିବେଶକମାନେ ନଭେମ୍ୱର ୨୫ରେ ସମୟ ପୂର୍ୱରୁ ରିଡେମ୍ପସନ କରିପାରିବେ।