ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସଂକ୍ରାନ୍ତରେ ଶନିବାର ରାଜ୍ୟ ସରକାର ଘୋଷଣା କରିଥିବାବେଳେ ରବିବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ଚୁକ୍ତିଭିତ୍ତିକ ଗ୍ରୁପ୍‌ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍ତି ଉଚ୍ଛେଦ କରାଯାଇ ୫୭ହଜାର ଠିକା କର୍ମଚାରୀଙ୍କୁ ନିୟମିତ ବା ସ୍ଥାୟୀ କରାଯିବାକୁ ଉଲ୍ଲେଖ କରାଯାଇଛି। ଛୁଟିଦିନ ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ, ଚୁକ୍ତିଭିତ୍ତିକ ନିଯୁକ୍ତି ଦିନଠାରୁ ଇନ୍‌କ୍ରିମେଣ୍ଟ ଲାଗୁ ହେବ। ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାଙ୍କୁ ମଧ୍ୟ ଏଥିରେ ଗଣନା କରାଯିବ। ସେହିପରି ନିୟମିତ ହେବା ପରେ ସେମାନଙ୍କ ପାଇଁ ପଦୋନ୍ନତି ଲାଗୁ କରାଯିବ। ସେମାନେ ବରିଷ୍ଠତା ଭିତ୍ତିରେ ସରକାରୀ ଚାକିରିର ସବୁ ସୁବିଧା ପାଇବେ। ସୂଚନାଯୋଗ୍ୟ, ସମାନ କାମକୁ ସମାନ ଦରମା ଦାବିକରି ଚୁକ୍ତିଭିତ୍ତିକ କର୍ମଚାରୀମାନେ ଚାକିରି ନିୟମିତ କରିବାକୁ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିଲେ। ଶନିବାର କ୍ୟାବିନେଟ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଠିକା ନିଯୁକ୍ତିର ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ, ରାଜ୍ୟରୁ ଠିକା ନିଯୁକ୍ତିର ଯୁଗ ଶେଷ ହୋଇଛି। ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିିକ କର୍ମଚାରୀଙ୍କ ନିଯୁକ୍ତି ନିୟମିତ ହେବ। ଏହାଦ୍ବାରା ୫୭ ହଜାରରୁ ଊଦ୍ଧର୍‌ବ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ସେପଟେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦୁଇ ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଭାଜପା ଓ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୨୦୧୩ରେ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଆଣି କରିଥିବା ବଡ଼ ଭୁଲ୍‌କୁ ଏବେ ସୁଧାରିବାକୁ ଚେଷ୍ଟା କରିଛନ୍ତି ବୋଲି ଭାଜପା କହୁଥିବାବେଳେ କଂଗ୍ରେସ ଏହାକୁ ନିର୍ବାଚନୀ ଚାଲ୍‌ ବୋଲି କହିଛି।