Categories: ଖେଳ

କୋହଲିଙ୍କୁ କେରଳ ହାଇକୋର୍ଟଙ୍କ ନୋଟିସ୍‌

କୋଚି,୨୭।୧: କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ଏସ୍‌. ମନିକୁମାରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟକୁ ନୋଟିସ୍‌ ଜାରି କରିଛନ୍ତିି। କୋହଲିଙ୍କ ସମେତ ମାଲାୟାଲମ ଅଭିନେତା ଅଜୁ ଭର୍ଗିସ ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଏକ ଅନ୍‌ଲାଇନ୍‌ ଗ୍ୟାମ୍ବଲିଂକୁ ବ୍ୟାନ୍‌ କରିବା ନେଇ କୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଏହି ସେଲିବ୍ରିଟିମାନେ ତାସକୁ ନେଇ ଖେଳାଯାଉଥିବା ଅନ୍‌ଲାଇନ୍‌ ଗେମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଥିଲେ।

ପାଉଲି ଭାଡକ୍କାନ ନାମକ ଜଣେ ବ୍ୟକ୍ତି ଏହି ଅନ୍‌ଲାଇନ୍‌ ଗେମ୍‌କୁ ବାତିଲ କରିବାକୁ କୋର୍ଟରେ ପିଟିଶନ ଦାଏର କରିଥିଲେ। ଏହି ଗେମ୍‌ ଏବେ ରାଜ୍ୟରେ ବିଶୃଙ୍ଖଳା କାରଣ ପାଲଟିଛି। ଏହାକୁ ସହଜରେ ଅର୍ଥ ଉପାର୍ଜନ କରିବାର ମାଧ୍ୟମ ଭାବେ ବ୍ୟବହାର କରୁଛି ରାଜ୍ୟର ଯୁବ ବର୍ଗ। ମାତ୍ର ଏମାନେ ଠକାମିର ଶିକାର ହେଉଛନ୍ତି। ରାଜ୍ୟରେ ଏକାଧିକ ଲୋକ ଏହି ଠକାମିର ଶିକାର ହୋଇଛନ୍ତି ବୋଲି ଭାଡକ୍କାନ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି।

କିଛିଦିନ ତଳେ ଏଭଳି ଠକାମିର ଶିକାର ହୋଇ ଥିରୁଭାନନ୍ତପୁରମ୍‌ସ୍ଥିତ କାଟ୍ଟାକାଡ଼ାରେ ରହୁଥିବା ଇସ୍ରୋର ଜଣେ ୨୮ ବର୍ଷୀୟ କର୍ମଚାରୀ ଆତ୍ମହତ୍ୟାର ଶିକାର ହୋଇଛନ୍ତି। ଏହି ଅନଲାଇନ୍‌ ରୁମି ଗେମ୍‌ର ଜାଲରେ ପଡି ସେ ୨୧ ଲକ୍ଷ ଟଙ୍କା ଋଣ କରିଥିଲେ। ଋଣ ଶୁଝିବାର କୌଣସି ଉପାୟ ନ ପାଇ ଶେଷରେ ଆତ୍ମହତ୍ୟାର ପନ୍ଥା ବାଛିଥିଲେ ବୋଲି ସେ ପିଟିଶନରେ ଉଲ୍ଲେଖ କରିଛନ୍ତି।

Share