ପୁରୀରେ ଶୀଘ୍ର ନଷ୍ଟ ହୋଇଯାଉଛି ନୋଟ୍‌

ପୁରୀ ଅଫିସ,୩୦।୯: ଓଡ଼ିଶାର ଅନ୍ୟ ଜିଲା ତୁଳନାରେ ପୁରୀରେ ନୋଟ୍‌ (କାଗଜ ଟଙ୍କା) ଶୀଘ୍ର ନଷ୍ଟ ହୋଇ ଯାଉଛି ବୋଲି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏସ୍‌ବିଆଇ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ନୋଟ୍‌ ବଜାରକୁ ଯିବା ପରେ ଏହା ବିଭିନ୍ନ ଲୋକଙ୍କ ପାଖକୁ କ୍ରମାଗତ ଭାବେ ସ୍ଥାନାନ୍ତରିତ ହୋଇଥାଏ। ଅନୁଗୋଳ ଓ ଢେଙ୍କାନାଳ ପରି ଜିଲାରେ ନୋଟ୍‌ଗୁଡ଼ିକ ୧୦ରୁ ୧୧ ହାତ ହେବା ସତ୍ତ୍ବେ ବ୍ୟବହାର ଉପଯୋଗ ହୋଇରହୁଛି। ମାତ୍ର ପୁରୀ ଜିଲାରେ ଏଭଳି ହେଉ ନ ଥିବା ଜଣାପଡ଼ିଛି। ଆନୁମାନିକ ଭାବେ ଗୋଟିଏ ନୋଟ୍‌ ୩ରୁ ୪ ଜଣଙ୍କ ହାତକୁ ଯିବା ପରେ ଏହା ସବୁ କ୍ଷେତ୍ର ପାଇଁ ବ୍ୟବହାର ଉପଯୋଗୀ ହୋଇରହୁନାହିଁ। ଏହାପଛର ମୁଖ୍ୟ କାରଣ ପୁରୀର ଲୁଣି ଜଳବାୟୁ ହୋଇଥାଇପାରେ ବୋଲି ପୁରୀ ଏସ୍‌ବିଆଇ ମୁଖ୍ୟ ଶାଖାର ମ୍ୟାନେଜର ବିଜୟ ଶତପଥୀ କହିଛନ୍ତି।
ଶତପଥୀ କହିଛନ୍ତି, ପୁରୀ ଏସବିଆଇକୁ ସବୁଠାରୁ ଅଧିକ ନୋଟ୍‌ ବଦଳି ପାଇଁ ଆସୁଛି। ତେବେ ଜଲଦି ନୋଟ୍‌ ନଷ୍ଟ ହେବା କାରଣରୁ ଆର୍ଥିକ କାରବାର ପ୍ରଭାବିତ ହେଉଛି। ବ୍ୟାଙ୍କ ମାଧ୍ୟମରେ ଲୋକଙ୍କ ନିକଟରେ ନୋଟ୍‌ ପହଞ୍ଚୁଥିବାବେଳେ ସେଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ସବୁଠାରୁ ଭଲ ନୋଟ୍‌ ଏଟିଏମ୍‌ରେ ଭର୍ତ୍ତି ପାଇଁ ଚୟନ କରାଯାଏ। ମଧ୍ୟମ ଧରଣର ନୋଟ୍‌କୁ ବଜାରକୁ ଛଡ଼ାଯାଏ ଓ ନଷ୍ଟ ହୋଇଯାଇଥିବା ନୋଟ୍‌କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରେ ଦାଖଲ କରାଯାଇଥାଏ। ପୁରୀ ଜିଲାରେ ନଷ୍ଟ ହୋଇଯାଉଥିବା ଏବଂ ଏଟିଏମ୍‌କୁ ଯାଇପାରୁ ନ ଥିବା ନୋଟ୍‌ ସଂଖ୍ୟା ଅନ୍ୟ ଜିଲା ତୁଳନାରେ ଅଧିକ। ଫଳରେ ପୁରୀ ଜିଲାକୁ ଅଧିକ ନୂଆ ନୋଟ୍‌ ଦରକାର ପଡ଼ୁଛି।
ଅନ୍ୟପକ୍ଷରେ ଟଙ୍କିକିଆ, ଦୁଇଟଙ୍କିଆ ଓ ପାଞ୍ଚଟଙ୍କିଆ ମୁଦ୍ରା ନେଣଦେଣ ଲାଗି ଲୋକେ ରାଜି ହେଉନାହାନ୍ତି। ଆର୍‌ବିଆଇ ପକ୍ଷରୁ ସମ୍ପୃକ୍ତ ମୁଦ୍ରା ପ୍ରଚଳିତ ଥିଲେ ମଧ୍ୟ ବଜାରରେ ଏହାକୁ ଚଳାଇବା କଷ୍ଟକର ହୋଇପଡୁଛି। ପୁରୀ ସଦର, ନିମାପଡ଼ା, ଗୋପ, କାକଟପୁର ଓ ବ୍ରହ୍ମଗିରି ପ୍ରଭୃତି ଅଞ୍ଚଳରେ ଟଙ୍କିକିଆ ଓ ଦୁଇଟଙ୍କିଆ ମୁଦ୍ରା ଅଚଳ ବୋଲି ଗୁଜବ ସୃଷ୍ଟି ହୋଇଛି। ଏଥିଯୋଗୁ ବ୍ୟବସାୟିକ କାରବାର ପ୍ରଭାବିତ ହେଉଛି। ଫଳରେ ସଂପୃକ୍ତ ମୁଦ୍ରାଗୁଡ଼ିକ ବହୁ ସଂଖ୍ୟାରେ ବ୍ୟାଙ୍କରେ ଜମା ହେଉଛି। କଣାସ ବ୍ଲକର କେତେକ ସ୍ଥାନରେ ଗତ କିଛି ମାସ ହେବ ଲୋକେ ୫ଟଙ୍କିଆ ମୁଦ୍ରା ନେଣଦେଣକୁ ମଧ୍ୟ ବନ୍ଦ କରିସାରିଲେଣି। ଏହା ବ୍ୟାଙ୍କଗୁଡ଼ିକ ପାଇଁ ସମସ୍ୟା ବଢ଼ାଉଛି। ଆର୍‌ବିଆଇ ଗାଇଡଲାଇନ୍‌ ଅନୁଯାୟୀ, କୌଣସି ବ୍ୟକ୍ତି ଅନାୟାସରେ ବ୍ୟାଙ୍କରେ ମୁଦ୍ରା ଦାଖଲ କରିପାରିବେ। ଏଣୁ ଲୋକେ ବଜାରରେ ଚଳୁ ନ ଥିବା ଟଙ୍କାକୁ ବ୍ୟାଙ୍କରେ ଜମା କରୁଛନ୍ତି। ଯେଉଁ ମୁଦ୍ରା ବଜାରରେ ଚଳୁ ନାହିଁ ତାହା କେବଳ ଏକ ଧାତୁ ସହ ସମାନ ବୋଲି କୁହାଯାଇପାରିବ। ଆର୍ଥିକ ଢାଞ୍ଚା ମଧ୍ୟରେ ସାମିଲ ନ ହୋଇ ପାରିବାରୁ ମୁଦ୍ରା ନିଜର ଆର୍ଥିକ କ୍ଷମତା ହରାଇସାରିଛି। ତେବେ ଏହା ପଛର ଏକ କାରଣ ହେଉଛି ୟୁପିଆଇ। ଗ୍ରାମାଞ୍ଚଳରେ ଲୋକେ ୨ରୁ ୪ ଟଙ୍କା ପାଇଁ ମଧ୍ୟ ୟୁପିଆଇକୁ ମାଧ୍ୟମ କଲେଣି। ଏଥିଯୋଗୁ ମୁଦ୍ରାର ବ୍ୟବହାର ଓ ଆର୍ଥିକ ମୂଲ୍ୟ ନଷ୍ଟ ହେଉଛି ବୋଲି ଆର୍ଥିକ ପରାମର୍ଶଦାତା ଦେବାଶିଷ ପଟ୍ଟନାୟକ କହିଛନ୍ତି। ବୁଦ୍ଧିଜୀବୀ ପ୍ରକାଶ ମିଶ୍ର କହିଛନ୍ତି, ଗ୍ରାମାଞ୍ଚଳରେ ଲୋକେ ପରସ୍ପରଠାରୁ ଗୁଜବ ଶୁଣି ଏଭଳି କରୁଛନ୍ତି। ପ୍ରଶାସନର ସଚେତନତା ଏଭଳି ଅବ୍ୟବସ୍ଥାକୁ ଭାଙ୍ଗିଦେବ। ସେହିପରି ମୁଦ୍ରା ନେବାକୁ ମନା କରୁଥିବା ଲୋକଙ୍କ ବିରୋଧରେ ଏତଲା ଦିଆଯାଉ। ଆର୍ଥିକ ସାକ୍ଷରତା ଯୋଜନା କାର୍ଯ୍ୟକାରୀ ସହ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରାଇବାକୁ ପ୍ରଶାସନ ଓ ବ୍ୟାଙ୍କ ପଦକ୍ଷେପ ନେବା ଉଚିତ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର କହିଛନ୍ତି, ଏନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀମାନଙ୍କ ସହ ଆଲୋଚନା କରିବୁ। କେତେ ମୁଦ୍ରା ପ୍ରଚଳନ ହୋଇପାରୁନାହିଁ ଓ କିଭଳି ପୁନଃ ପ୍ରଚଳନ କରିହେବ ସେନେଇ ଚେଷ୍ଟା କରାଯିବ। ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ।