Posted inରାଜ୍ୟ

ମୁଁ ନୁହେଁ, ସେମାନେ ଚକ୍ରାନ୍ତକାରୀ

ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିଜର ବ୍ୟକ୍ତିଗତ ରାଜନୈତିକ ଶୈଳୀ ପାଇଁ ବେଶ୍‌ ପରିଚିତ। ୧୯୬୮ ମସିହାରୁ ଛାତ୍ର ରାଜନୀତିରେ ପାଦ ରଖିଥିବା ଶ୍ରୀକାନ୍ତ ୩ ଥର ବିଧାନସଭାକୁ ଏବଂ ୪ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଏହା ଭିତରେ ସେ ୪ ଥର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ପ୍ରଥମେ କଂଗ୍ରେସ ପରେ ଜନତାଦଳ ଏବଂ ଶେଷରେ ପୁଣିଥରେ କଂଗ୍ରେସକୁ ଫେରିଥିବା ଶ୍ରୀକାନ୍ତ ରାଜନୈତିକ ଜୀବନରେ ବହୁ ସଫଳତା ପାଇଛନ୍ତି। ୨୦୧୯ରୁ କଂଗ୍ରେସ ଦଳରୁ ବହିଷ୍କୃତ ହୋଇଥିବା ଶ୍ରୀକାନ୍ତ ଗତଥର ନିର୍ବାଚନ ଲଢ଼ି ନ ଥିବାବେଳେ ତାଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ରାଜନୀତି ନେଇ ଧରିତ୍ରୀ ତରଫରୁ ସୁନୀତ୍‌ ମିଶ୍ରଙ୍କ ସହ ସ୍ବତନ୍ତ୍ର ଆଳାପ…

ପ୍ର- ଆପଣ ଭୋଟ ରାଜନୀତିରେ କେବେଠାରୁ ପ୍ରବେଶ କଲେ?
ଉତ୍ତର: ସେମିତି ଦେଖିଲେ ଡ୍ରାମାଟିକ ସେକ୍ରେଟାରି ଭାବେ ୧୯୬୮ରେ ପ୍ରଥମେ କେନ୍ଦ୍ରାପଡ଼ା କଲେଜରୁ ନିର୍ବାଚନ ଲଢ଼ିଥିଲି। ଏହାପରେ ୧୯୬୯ରେ କେନ୍ଦ୍ରାପଡ଼ା କଲେଜ ଛାତ୍ର ସଂସଦ ସଭାପତି ଭାବେ ବିଜୟୀ ହୋଇଥିଲି।
ପ୍ର- ଛାତ୍ର ଜୀବନରୁ ଆପଣ ରାଜନୀତିରେ ସମ୍ପୃକ୍ତ ଅଛନ୍ତି । ପରବର୍ତ୍ତୀ ସମୟରେ ଆପଣଙ୍କୁ ଚକ୍ରାନ୍ତ ଜେନା ବୋଲି କାହିଁକି କୁହାଗଲା?
ଉତ୍ତର: (ରାଗିଗଲେ)ମୋର ବହୁତ ବନ୍ଧୁ ଅଛନ୍ତି, ଯେଉଁମାନେ ମତେ ଚକ୍ରାନ୍ତ ଜେନା ବୋଲି କୁହନ୍ତି(ହସିଲେ)। ରାଜ୍ୟରେ ଖଣି ଚୋରି ପ୍ରସଙ୍ଗ ଉଠାଇବା ପରେ ଏହି ବନ୍ଧୁମାନେ ମୁଁ ଚକ୍ରାନ୍ତ ଜେନା ଭାବେ ବୋଲି ପ୍ରଚାର କରିଚାଲିଲେ। ଖଣି ଚୋରିର କଳାଟଙ୍କାରେ ତାଙ୍କ ପ୍ରଚାରତନ୍ତ୍ର ପ୍ରଭାବଶାଳୀ ହୋଇଛି। ସେଥିରେ ସେମାନେ ମତେ ଚକ୍ରାନ୍ତ ଜେନା ବୋଲି ଆକ୍ଷେପକରି ଲେଖିଲେ। ସେଇକଥା ସବୁବେଳେ ଆଲୋଚନା ହେଲା। ଭଲ ହେଉ ବା ଖରାପ ସେମାନେ ସବୁବେଳେ ମୋ ନାଁକୁ ପ୍ରଚାର କରିବାରେ ସାହାଯ୍ୟ କଲେ। ସତ କହିବା ଯଦି ଚକ୍ରାନ୍ତ, ତେବେ ମୁଁ ବାରମ୍ବାର କହିବି। କେଉଁ ଗୋଟିଏ କଥାରେ ମୁଁ ଚକ୍ରାନ୍ତ କରିଛି କେହି ଦେଖାନ୍ତୁ ତ।
ପ୍ର- ଆପଣ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ କରାଇ ନ ଦେବାକୁ ଚକ୍ରାନ୍ତ କରିଥିବା ଅନେକ ସ୍ଥାନରେ ଆଲୋଚନା ହୁଏ। ଏହାକୁ ନେଇ ଆପଣ କ’ଣ କହିବେ?
ଉତ୍ତର: ଯେଉଁମାନେ ବିଜୁ ପଟ୍ଟନାୟକଙ୍କୁ ହତ୍ୟାକରୀ ବୋଲି ପ୍ରଚାରକରି ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବାକୁ ଉଦ୍ୟମ କରିଥିଲେ ସେମାନେ ଆଜି ସବୁଠାରୁ ବଡ଼ ବିଜୁ ଭକ୍ତ ପାଲଟିଛନ୍ତି। ୧୯୬୪ରେ ଅଖିଳ ଭାରତ କଂଗ୍ରେସ କମିଟି ବୈଠକ ଭୁବନେଶ୍ୱରଠାରେ ବସିଥିଲା। ଓଡ଼ିଶାରେ ବିଜୁ ପଟ୍ଟନାୟକ କଂଗ୍ରେସର ପ୍ରମୁଖ ନେତା ଥାଆନ୍ତି। ସେତେବେଳେ କଂଗ୍ରେସ ସେବା ଦଳର ଜଣେ ମହିଳା କର୍ମୀଙ୍କ ମୃତ୍ୟୁ ଘଟିଲା। ସେହି ମୃତ୍ୟୁ ଘଟଣା ସହ ବିଜୁ ପଟ୍ଟନାୟକଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ସେମାନେ ପ୍ରଚାର ଚଳାଇଲେ। ଯେଉଁମାନେ ବିଜୁବାବୁଙ୍କ ନାଁରେ ଭିଜିଲାନ୍ସ ମାମଲା କରି ଚାର୍ଜଶିଟ୍‌ ଦେଇଥିଲେ ସେମାନେ ମୋ ବିରୋଧରେ ଏସବୁ ପ୍ରଚାର କରିଛନ୍ତି। ସେମାନେ ସେହି ଚାର୍ଜଶିଟ୍‌ ନେଇ ବିଜୁବାବୁଙ୍କୁ କେନ୍ଦ୍ରମନ୍ତ୍ରୀ କରାଇ ନ ଦେବାକୁ ଦିଲ୍ଲୀରେ ବାଣ୍ଟିଥିଲେ। ସେମାନେ ହିଁ ସବୁକିଛି କରିବା ସହ ବିଜୁବାବୁଙ୍କୁ ପ୍ରଧାନମନ୍ତ୍ରୀ କରାଇ ଦେଇନାହାନ୍ତି। ବିଜୁବାବୁ ନିଜେ ଦେବେଗୌଡ଼ାଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ।
ପ୍ର- ଏହିସବୁ ଘଟଣାରେ ଆପଣଙ୍କ ସମ୍ପୃକ୍ତି ଥିବା ନେଇ କାହିଁକି ସେମାନେ ଅଭିଯୋଗ ଆଣିଲେ, ଅନ୍ୟ କାହା ନାଁ କାହିଁକି ଏଥିରେ ଉଠିଲା ନାହିଁ?
ଉତ୍ତର: ପ୍ରଥମରୁ ମୁଁ ସେମାନଙ୍କ ଖଣି ଚୋରି ପ୍ରସଙ୍ଗ ଉଠାଇ ଆସୁଥିବା ବେଳେ ପରବର୍ତ୍ତୀ ସମୟରେ କଟକ ଲୋକ ସଭା ଆସନରୁ ୧୯୮୯ରେ ଜୟନ୍ତୀ ଦେବୀ ଏବଂ ୧୯୯୧ରେ ଜାନକୀ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲି। ଏହି କଥାକୁ ଆଜି ପର୍ଯ୍ୟନ୍ତ ବହୁ ଲୋକ ସହ୍ୟ କରିପାରୁ ନାହାନ୍ତି। ସେଥିପାଇଁ ସେମାନେ ମୋ ବିରୋଧରେ ନିଜ ପ୍ରଚାରତନ୍ତ୍ର ମାଧ୍ୟମରେ ଏମିତି ପ୍ରଚାର କରିବାରେ ବ୍ୟସ୍ତ।
ପ୍ର- ଆପଣଙ୍କ ନାଁରେ କେଉଁମାନେ ଏମିତି ସବୁ ପ୍ରଚାର କରୁଛନ୍ତି। ସେନେଇ ଲୋକଙ୍କୁ ଜଣାଇବାକୁ ଚାହିଁବେ କି?
ଉତ୍ତର: ଯେତିକି କଥା କହିଲିଣି ସେଥିରୁ ସମସ୍ତେ ବୁଝିପାରୁଥିବେ। ନାଁ କହିବାର ଆବଶ୍ୟକତା ନାହିଁ। ଯେଉଁମାନେ ଇତିହାସକୁ ଭଲରେ ଦେଖିଥିବେ ସେମାନେ ଠିକ୍‌ ଜାଣିଥିବେ କେଉଁମାନେ ପ୍ରକୃତ ଚକ୍ରାନ୍ତକାରୀ।
ପ୍ର- ଏହିସବୁ ଘଟଣା ରାଜନୀତିରେ ଆପଣଙ୍କ ଗୁରୁତ୍ୱ ହ୍ରାସର କାରଣ ବୋଲି ଭାବୁଛନ୍ତି କି?
ଉତ୍ତର: ମୋର କିଛି ଗୁରୁତ୍ୱ ହ୍ରାସ ହୋଇଥିଲା ଭଳି ଲାଗୁନି। ଆଗରୁ କ’ଣ ଗୁରୁତ୍ୱ ଥିଲା ଏବଂ ବର୍ତ୍ତମାନ କ’ଣ କମିଛି ଜାଣିପାରୁନି। ଅନେକ ଲୋକ ଆଗରୁ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଥିଲେ ଯେଉଁମାନେ ଏବେ କଛି ପଦବୀରେ ନାହାନ୍ତି। ତେବେ ସେମାନଙ୍କ ଗୁରୁତ୍ୱ କ’ଣ ଏବେ ଆଉ ନାହିଁ। ପଦବୀ କେବେ ଜଣେ ରାଜନୈତିକ ବ୍ୟକ୍ତିର ପ୍ରତିଷ୍ଠାର ମାପକାଠି ନୁହେଁ। ରାଜନୀତିରେ ସବୁଠାରୁ ବଡ଼ କଥା ହେଉଛି ନିଜ ଚରିତ୍ର ଆଉ ପ୍ରତିବଦ୍ଧତା।
ପ୍ର- ସାଧାରଣରେ ଆଲୋଚନା ହୁଏ ଆପଣ କୌଣସି ନିର୍ବାଚନମଣ୍ଡଳୀକୁ ଆନ୍ତରିକତାର ସହ ଭଲ ପାଆନ୍ତି ନାହିଁ। ସେଥିଲାଗି ସବୁ ନିର୍ବାଚନରେ କୁଆ଼ଡ଼େ ଆସନ ପରିବର୍ତ୍ତନ କରିଆସିଛନ୍ତି ବୋଲି ଆଲୋଚନା ହୁଏ। ଏହାର ସତ୍ୟତା କ’ଣ?
ଉତ୍ତର: ଅବିଭକ୍ତ କଟକ ଜିଲାର ବରୀ-ଡେରାବିଶ ବିଧାନସଭା ଆସନରୁ ୩ ଥର ଲଗାତର ବିଧାୟକ ହୋଇଛି। ଏହାପରେ ଜନତା ଦଳ ତରଫରୁ ୨ ଥର ୧୯୮୯ ଏବଂ ୧୯୯୧ରେ କଟକ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବାକୁ କୁହାଗଲା ଏବଂ ଜିତିଥିଲି। ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏବଂ ଜୟନ୍ତୀ ଦେବୀ ସର୍ବଭାରତୀୟ ମହିଳା କଂଗ୍ରେସ ସଭାପତି ଥାଆନ୍ତି। ୧୯୮୯ରେ ଜନତା ଦଳର ବହୁ ନେତା ଜୟନ୍ତୀଙ୍କ ବିରୋଧରେ ସେଠାରେ ନିର୍ବାଚନ ଲଢ଼ିବା ଲାଗି ମନା କରିଦେଲେ। ୧୯୯୧ରେ ଜାନକୀ ପଟ୍ଟନାୟକଙ୍କ ବିରୋଧରେ କଟକ ଲୋକ ସଭା ଆସନରୁ ଲଢ଼ି ପୁଣିଥରେ ବିଜୟୀ ହେଲି। ସେତେବେଳେ ଚାହିଁଥିଲେ ଆସନ ପରିବର୍ତ୍ତନ କରିପାରିଥାଆନ୍ତି। ପରବର୍ତ୍ତୀ ସମୟରେ ବିଜୁବାବୁ କଟକ ଏବଂ ଆସ୍କାରୁ ଲଢ଼ିବାକୁ କହିଲେ। ଏହାପରେ ମୁଁ କେନ୍ଦ୍ରାପଡ଼ା ଆସନରୁ ଲଢ଼ିଲି। ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେବା ପରେ ରଞ୍ଜିବ ବିଶ୍ୱାଳ କହିଲେ, କେନ୍ଦ୍ରାପଡ଼ାରୁ ଲଢ଼ିବେ। ଏହାପରେ ମତେ ବାଲେଶ୍ୱରରୁ ଲଢ଼ିବାକୁ କୁହାଗଲା। ମୋର କେଉଁ ଆସନରେ ଲଢ଼ିବା ପାଇଁ ଆନ୍ତରିକତା ନାହିଁ ବୋଲି କେତେଜଣ ଲୋକ ଜାଣିଶୁଣି ପ୍ରଚାର କରନ୍ତି।
ପ୍ର- ଏତେ ବଡ଼ ବଡ଼ ନେତାଙ୍କ ବିରୋଧରେ ଜିତିବା ସତ୍ତ୍ୱେ ୨୦୧୪ରେ ନିର୍ବାଚନ କାହିଁକି ହାରିଲେ ଏବଂ ୨୦୧୯ରେ କାହିଁକି ଲଢ଼ିଲେ ନାହିଁ?
ଉତ୍ତର: ନିର୍ବାଚନରେ ହାରଜିତ୍‌ କିଛି ନୂଆ କଥା ନୁହେଁ। ୨୦୧୯ ନିର୍ବାଚନ ବେଳକୁ କଂଗ୍ରେସରୁ ବାହାରି ଆସିଥିଲି। ସେତେବେଳେ ଦଳରେ ମତେ ଇସ୍ତାହାର କମିଟି ଅଧ୍ୟକ୍ଷ କରାଯାଇଥିଲା। ମୁଁ ଇସ୍ତାହାରରେ ୩ଟି କଥାକୁ ଗୁରୁତ୍ୱ ଦେଇଥିଲି। ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସେ ପ୍ରଥମ କାର୍ଯ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏସ୍‌ସି, ଏସ୍‌ଟି କିମ୍ବା ଓବିସି ବର୍ଗରୁ ରହିବେ। ୩ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଯେଉଁମାନେ ଖଣି ଚୋରି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶାରେ ମଣ୍ଡଳ କମିଶନ ଲାଗୁ କରାଯିବ। ହେଲେ କଂଗ୍ରେସ ବାଲାଙ୍କୁ ଏସବୁ କଥା ଭଲ ଲାଗିଲା ନାହିଁ। ଦଳରୁ କାଢ଼ିଦେଲେ ଏବଂ ଏହାପରେ ଭୋଟ ଲଢ଼ିବା ଠିକ୍‌ ନୁହେଁ ବୋଲି ଭାବିଲି।
ପ୍ର- ଆପଣ ସବୁବେଳେ ପଛୁଆବର୍ଗଙ୍କ ନେତା ହେବାକୁ ଚେଷ୍ଟା କରିଛନ୍ତି। ଓଡ଼ିଶାରେ ଉଚ୍ଚଜାତିଙ୍କ ସଂଖ୍ୟା କମ୍‌ ଥିବାବେଳେ ପଛୁଆବର୍ଗଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ମଣ୍ଡଳ କମିଶନ ଲାଗୁହେବା ସପକ୍ଷରେ ଆଗ୍ରହୀ ଥିବା ସତ୍ତ୍ୱେ ଆପଣ ଜଣେ ଲାଲୁ କି ନୀତୀଶ ହେବାରେ ଅସଫଳ କାହିଁକି ହେଲେ?
ଉତ୍ତର: ନୀତୀଶ କୁମାର ଓ ଲାଲୁ ଯାଦବ ମଣ୍ଡଳ ଅଭିଯାନରୁ ଆସି ନେତା ହୋଇପାରିଛନ୍ତି। ସେହିପରି ମୁଲାୟମ ସିଂ ଯାଦବ ଏବଂ ମାୟାବତୀ ମଧ୍ୟ ମଣ୍ଡଳ ଆନ୍ଦୋଳନରୁ ଆସିଛନ୍ତି। ଯେହେତୁ ସାମାଜିକ ସ୍ତରରେ ନୀତୀଶ ଓ ଲାଲୁ ଯାଦବ ଏକଥାକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇପାରିଲେ ଏବଂ ରାଜନୈତିକ ଦଳଗୁଡ଼ିକ ଏ କଥାରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିପାରିବାରୁ ଏହାର ପରିଣାମ ସ୍ବରୂପ ସେମାନେ ଉପକୃତ ହୋଇଛନ୍ତି।
ପ୍ର- ଓଡ଼ିଶାରେ କାହିଁକି ଏହା ସଫଳ ହୋଇପାରିଲା ନାହିଁି, ଆପଣ ତ ସବୁବେଳେ ମଣ୍ଡଳ କମିଶନ ସପକ୍ଷରେ ଥିଲେ?
ଉତ୍ତର: ଓଡ଼ିଶା ରାଜନେତାମାନଙ୍କ ମାନସିକତା ଏବଂ ଲୋକଙ୍କୁ ସଚେତନ କରାଇବା ଉପରେ ଏହା ନିର୍ଭରକରେ। ଜୟନ୍ତୀ ଦେବୀଙ୍କଠାରୁ ଜିତିବା ପରେ ମଣ୍ଡଳ ଆନ୍ଦୋଳନ ବ୍ୟାପକ ହୋଇଥିଲା। ଏହାପରେ ପୁଣିଥରେ ନିର୍ବାଚନ ଲଢ଼ିବା ସହ ପ୍ରତି ସଭାରେ ମଣ୍ଡଳ କ’ଣ ବୁଝାଇବାକୁ ପଡ଼ିଲା। ରାଜୀବ ଗାନ୍ଧୀଙ୍କ ଦେହାନ୍ତ ସେହି ସମୟରେ ହେଲା। ଜାନକୀ ପଟ୍ଟନାୟକ ନିର୍ବାଚନ ଲଢ଼ିଲେ, ହେଲେ ମୁଁ ତାଙ୍କ ବିରୋଧରେ ଜିତିଲି। ସେତେବେଳେ ଲୋକଙ୍କ ନିକଟରେ ଜନତା ଦଳ ଯେମିତି ମଣ୍ଡଳ କଥା ପହଞ୍ଚାଇବା କଥା ସେମିତି କରିପାରିଲା ନାହିଁ। ବିଜୁବାବୁ ମଣ୍ଡଳ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ସବୁକଥା ବୁଝି ୨୭ ପ୍ରତିଶତ ସଂରକ୍ଷଣ ଦେଇଥିଲେ।
ପ୍ର- ସେଥିଯୋଗୁ ଆପଣଙ୍କ ରାଜନୈତିକ ସୃଷ୍ଟିକର୍ତ୍ତା ଭାବେ ବିଜୁ ପଟ୍ଟନାୟକଙ୍କୁ ନିଆଯାଉଥିବା ବେଳେ ଆପଣ ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଖୋଲାଖୋଲି ମତ ଦେଇଥିଲେ କି? ସୁଯୋଗ ମିଳିଲେ ଆପଣଙ୍କ ଜୀବନର ସେହି ଚିନ୍ତାଧାରା ବଦଳାଇବେ କି?
ଉତ୍ତର: ବିଜୁବାବୁଙ୍କୁ କେବେହେଲେ ବିରୋଧ କରିନାହିଁ। ତାଙ୍କ ନିଷ୍ପତ୍ତି ବିରୋଧରେ କହିଛି। ମଣ୍ଡଳ କଥାରେ ବିଜୁବାବୁ ସୁପ୍ରିମକୋର୍ଟ ଗଲେ। ସେତେବେଳେ ତାଙ୍କୁ ମୁଁ ବୁଝାଇଥିଲି। ମୁଁ ଏହି ଘଟଣାରେ ନିଜର ମତ ପରିବର୍ତ୍ତନ କରି ନ ଥିଲି। ବିଜୁବାବୁଙ୍କ ସହ ଯୁକ୍ତିତର୍କ କରିବାରେ ବହୁତ ଆନନ୍ଦ ମିଳିଥାଏ। ବିଜୁବାବୁ କଂଗ୍ରେସରେ ଥିବାବେଳେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମଧ୍ୟ ଅନେକ ଥର ମତ ରଖିଛନ୍ତି। ଯଦି ସେହିସବୁ କଥାରେ ବିଜୁ ପଟ୍ଟନାୟକଙ୍କୁ କେହି ଦୋଷୀ ମନେକରନ୍ତି ତେବେ ମୁଁ ମଧ୍ୟ ନିଜକୁ ଦୋଷୀ ମାନିବି।
ପ୍ର- ଆପଣ ଭବିଷ୍ୟତରେ ଓଡ଼ିଶା ରାଜନୀତିକୁ କେମିତି ଦେଖୁଛନ୍ତି?
ଉତ୍ତର: ୨୦୨୪ ନିର୍ବାଚନରେ ଓଡ଼ିଶା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହେବ। ବହୁ ନୂଆ ପିଲା ଓଡ଼ିଶା ରାଜନୀତିକୁ ନିୟନ୍ତ୍ରଣ କରିବେ। ନୂଆ ଚେହେରା ଆସିଲେ ହିଁ ରାଜ୍ୟର ବିକାଶ ହେବ। ସାଧାରଣ ଲୋକମାନେ ମଧ୍ୟ ପରିବର୍ତ୍ତନ ଚାହିଁଲେଣି।
ପ୍ର- ତେବେ ଆପଣଙ୍କ ରାଜନୈତିକ ସା ଘଟିଲାଣି ବୋଲି କୁହାଯାଇପାରିବ କି?
ଉତ୍ତର: କୋଭିଡ୍‌ ଯୋଗୁ ସବୁକିଛି ବନ୍ଦ ରହିଛି। ନ ହେଲେ ସାମାଜିକ ନ୍ୟାୟ ପାଇଁ ଆନ୍ଦୋଳନ ବ୍ୟାପକ ହୁଅନ୍ତାଣି। ରାଜନୀତି କରିବା ଲାଗି କୌଣସି ଦଳରେ ରହିବା ଜରୁରୀ ନୁହେଁ। ଦଳ ହେଉଛି କେବଳ କୌଣସି ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଏକ ସାହାରା ମାତ୍ର। ରାଜନୀତିରେ ବିଚାର ଓ ପ୍ରତିବଦ୍ଧତାର କେବେ ସା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri