ରାସ୍ତା ମଝିରୁ ବିଦ୍ୟୁତ୍‌ ଖୁଣ୍ଟ ହଟୁନି, ଚାଲୁଛି କାମ

ଚଣ୍ଡିଖୋଲ,୨୯ା୧୨(ଡି.ଏନ୍‌.ଏ.): ଚୌଦ୍ୱାର ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବାଲିଚନ୍ଦ୍ରପୁର-କଳାଶ୍ରୀ ରାସ୍ତା। ୫ କିଲୋମିଟର ୫ ଶହ ମିଟର ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ତରଫରୁ ୭କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାସ୍ତା ପ୍ରଶସ୍ତୀକରଣ କରାଯାଇ ଏହାର ଚଉଡ଼ା ୨୪ ଫୁଟ କରାଯିବ ବୋଲି ବିଭାଗ ତରଫରୁ କୁହାଯାଇଥିଲା। ରାସ୍ତାରୁ ଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉଠିବା ପାଇଁ ବିଭାଗ ତରଫରୁ ଜଙ୍ଗଲ ବିଭାଗ ଓ ବିଦ୍ୟୁତ୍‌ ବିଭାଗକୁ ଚିଠି ମଧ୍ୟ କରାଯାଇଥିଲା। ଏବେ ରାସ୍ତା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବାବେଳେ ରାସ୍ତାରୁ ଗୋଟିଏ ବି ବିଦ୍ୟୁତ୍‌ ଖୁଣ୍ଟ କିମ୍ବା ଗଛ ମଧ୍ୟ ହଟିଲା ନାହିଁ। ଏପରି କି ବାଲିଚନ୍ଦ୍ରପୁର ବଜାରର ରାସ୍ତା ଆରମ୍ଭଠାରେ ଏକ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ମଝିରେ ଥିଲାବେଳେ ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା ନ ହଟାଇ ରାସ୍ତା କାମ କରିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଠିକା ସଂସ୍ଥା ଯେତିକି ଆବଶ୍ୟକ ଚଉଡ଼ା କରିବା କଥା ତାହା ନ କରି କମ ଚଉଡ଼ାରେ କାମ କରୁଛି, ଯଦ୍ଦ୍ବାରା ଠିକାଦାର ବ୍ୟାପକ ମୁନାଫା ହାସଲ କରିବେ। ପୂର୍ତ୍ତ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ରାସ୍ତାର ମାପ ନ କରି ସେହିପରି ଭାବରେ ପଳାଇ ଯାଉଛନ୍ତି। ସେଥିପାଇଁ ଠିକା ସଂସ୍ଥା ରାସ୍ତା ମଝିରେ ଖୁଣ୍ଟ ରହିଥିଲେ ମଧ୍ୟ ତାହାକୁ ନ ହଟାଇ କାମ କରି ଚାଲିଯିବାକୁ ଉଦ୍ୟମ କରିଛି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଆମେ ବିଦ୍ୟୁତ୍‌ ବିଭାଗକୁ ଖୁଣ୍ଟ ଉଠାଇବାକୁ କହିଥିଲେ ମଧ୍ୟ ସେ ଉଠାଉ ନାହାନ୍ତି। ଆମେ ବିଦ୍ୟୁତ୍‌ ବିଭାଗର ଠିକାଦାରଙ୍କୁ ଧରି ଖୁଣ୍ଟ ଉଠାଇବାକୁ ଚେଷ୍ଟା କରୁଛୁ।