ତୁଟୁନି ବିଜେଡି-ଭାଜପା କଳି

ଭୁବନେଶ୍ବର,୨୫ା୧(ବ୍ୟୁରୋ): ବିଜେଡି ଏବଂ ଭାଜପା ମଧ୍ୟରେ ଆବାସ ତାଲିକା ପ୍ରସ୍ତୁତି ଏବଂ ଘର ବଣ୍ଟନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ମଙ୍ଗଳବାର ରାଜ୍ୟର କେତୋଟି ବ୍ଲକରେ ଭାଜପା ଆନ୍ଦୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଜେଡି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ଦେଇ ଦଳୀୟ ଆଧାରରେ ଆବାସ ବଣ୍ଟନ କରୁଥିବା ଭାଜପା ଅଭିଯୋଗ କରୁଛି। ଏହାସହ ଲକ୍ଷାଧିକ ଅଭିଯୋଗ ଆସି ପହଞ୍ଚିଥିବା ମଧ୍ୟ ସେମାନେ କହିଛନ୍ତି। ତେବେ ମଙ୍ଗଳବାର ଆବାସ ଘର ଦୁର୍ନୀତି ନେଇ ଅଭିଯୋଗ ଦାଖଲର ସମୟସୀମା ଶେଷ ହୋଇଛି। ଆସନ୍ତା ୨୬ ଏବଂ ୩୦ ତାରିଖରେ ଗ୍ରାମସଭା ହେବ। ଏହାପରେ ଯାଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ତେବେ ଭାଜପା ବୁଧବାର ରାଜ୍ୟର ସବୁ ବ୍ଲକରେ ଆନ୍ଦୋଳନ କରିବାକୁ ଥିବାବେଳେ ଆସନ୍ତା ୭ ଦିନ ମଧ୍ୟରେ ଅଭିଯୋଗର ତର୍ଜମାକରି ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ଦାବି କରିଛି। ଯଦି ୭ ଦିନରେ ସରକାର ଏହି କାମ ନ ସାରନ୍ତି ଭାଜପା ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ଆଗକୁ ବିଧାନସଭା ଘେରାଉ କରିବ ବୋଲି ଚେତାବନୀ ଦେଇଛି। କିନ୍ତୁ ଭାଜପା ପାଖରେ ଦୁର୍ନୀତି ନେଇ କି ପ୍ରକାର ଅଭିଯୋଗ ରହିଛି ତାହା ଦେଖାଉ ବୋଲି ବିଜେଡି କହିଛି।
ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆବାସ ଯୋଜନାରେ ଯେଉଁମାନେ ଯୋଗ୍ୟ କେବଳ ସେମାନଙ୍କୁ ଘର ଦିଆଯାଉ। ସମସ୍ତେ ଏହା ଉପରେ ନଜର ରଖିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ଭଲ ଭାବେ ରାଜ୍ୟ ସରକାର ସମୀକ୍ଷା କରନ୍ତୁ। ଯେଉଁ ତାଲିକା ପ୍ରକାଶ ପାଇବ ତାହା ଅଣ୍ଡର ଟେବୁଲ ନ ହେଉ ବୋଲି ଅପରାଜିତା କହିଛନ୍ତି।
ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଯେତିକି ଘର ଦେବା ଲାଗି ମନ୍ତ୍ରଣାଳୟ ରାଜି ହୋଇଥିଲା ଆସିବା ବେଳକୁ ସେଥିରୁ ୨୦ ପ୍ରତିଶତ କମିଗଲାଣି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ତଥ୍ୟ ଓ ପ୍ରମାଣ ରଖି କଥା କୁହନ୍ତୁ। ସେଥିଲାଗି ଅଭିଯୋଗ କରିବା ପାଇଁ ସମୟ ଦିଆଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ଏକ ତାଲିକା ଜାରି କରୁ ବୋଲି ଦେବୀ କହିଛନ୍ତି।
ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଅଭିଯୋଗ କରିବା ଲାଗି ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଗଲା। ଏଥିଲାଗି ବାକ୍ସରେ ଚିଠି ପକାଇବାଠାରୁ ଆରମ୍ଭକରି ଇ-ମେଲ୍‌, ଫୋନ୍‌ ଏବଂ ମେସେଜ ମାଧ୍ୟମରେ ଅଭିଯୋଗ କରିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଆଉ ଏଥିପାଇଁ ଅନେକ ସମୟ ମଧ୍ୟ ଦିଆଯାଇଛି। ତେଣୁ ଆଗକୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଯାହା କିଛି କରାଯିବ ବୋଲି ସେ କହିଛନ୍ତି।