ବନ୍ଧ ପୋଖରୀ କିସମ ପାଇଁ ମିଳୁନି ପଟ୍ଟା

ନିରାକାରପୁର,୮।୧୦(ମାନସ ଚନ୍ଦ୍ର ପଟ୍ଟନାୟକ)ବିଦ୍ୟାଳୟ ଓ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଖାଦ୍ୟ, ପୋଷାକ, ସାଇକେଲ, ବହି ଯୋଗାଇଦେବା ସହ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଏବେବି ବହୁ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବରୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ କାଶୀପୁର ଗ୍ରାମରେ ଥିବା କାଶୀପୁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ୧୯୦୪ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ପଞ୍ଚମ ପ୍ରର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ୍‌ ୧୧୯ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ତେବେ ଏହି ବିଦ୍ୟାଳୟ ରହିଥିବା ଜମିର କିସମ ବନ୍ଧପୋଖରୀ ହୋଇଥିବାରୁ ପଟ୍ଟା ମିଳିପାରୁନାହିଁ। ଫଳରେ ବିଦ୍ୟାଳୟରେ କୌଣସି ଉନ୍ନତ୍ତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ସାମାନ୍ୟ ବର୍ଷା ହେଲେ ସ୍କୁଲ ପରିସରରେ ପାଣି ଜମି ରହୁଛି। ଏଥିସହ ସୁରକ୍ଷା ପାଚେରି ନ ଥିବାରୁ ବିଦ୍ୟାଳୟ ପରିସର ଗୋରୁଙ୍କ ଚରାଭୁଇଁ ପାଲଟିଛି। ସ୍କୁଲ ପରିସରରେ ପାଣି ଜମିରହିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପିଲାମାନେ ପାଠ ପଢୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବଶ୍ୱର ପାଇକରାୟ କହିଛନ୍ତି, ବନ୍ଧ ପୋଖରୀ କିସମ ହୋଇଥିବାରୁ ବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ଜାଣିଛନ୍ତି। ଏହା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପ୍ରଧାନ କହିଛନ୍ତି, ଏହି ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ସେମାନେ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବାରମ୍ବାର ସ୍କୁଲର ପଟ୍ଟା ପାଇଁ ଆବେଦନ କରୁଥିଲେ ମଧ୍ୟ ବନ୍ଧପୋଖରୀ କିସମ ଯୋଗୁ ହୋଇପାରୁନାହିଁ। ଏନେଇ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସାବିତ୍ରୀ ସାହୁ କହିଛନ୍ତି, ଏହି ବ୍ଲକରେ ଥିବା ବହୁ ବିଦ୍ୟାଳୟର ଜମି କାର୍ଯ୍ୟ ସରିଗଲାଣି। ଏହି ବିଦ୍ୟାଳୟର ସମସ୍ୟା ଦୁଇ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି।