ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ ସମୟରେ ହଠାତ୍ ଅତି ପ୍ରବଳ ବେଗରେ ଆସିଥିବା ଏହି ଝଡ଼-ପବନ ଯୋଗୁଁ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଝଡ଼ର ତାଣ୍ଡବ ଏତେ ଭୟଙ୍କର ଥିଲା ଯେ ଅନେକ ଗରିବ ପରିବାରର ଚାଳ ଛପର ଘର ସମେତ ଆଜବେଷ୍ଟସ ଉଡ଼ି ଯାଇଛି। ଆଜବେଷ୍ଟସଗୁଡ଼ିକ ଶୁଖିଲା ପତ୍ର ଭଳି ପବନରେ ଉଡ଼ୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ଘରର ଛାତ ଉଡ଼ିଯିବା ଫଳରେ ଲୋକଙ୍କ ଘରେ ରଖାଯାଇଥିବା ଧାନ, ଚାଉଳ ସମେତ ଅତି ଆବଶ୍ୟକୀୟ ଜିନିଷପତ୍ର ସବୁ ପାଣିରେ ଭିଜି ନଷ୍ଟ ହୋଇଯାଇଛି। ଫଳରେ ପ୍ରଭାବିତ ଲୋକମାନେ ଏବେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାସହ ପ୍ରବଳ ପବନ ଯୋଗୁ ଅଞ୍ଚଳର ଅନେକ ସାଧାରଣ ବିଦ୍ୟୁତ ଖୁଣ୍ଟ ସହିତ ସୋଲାର ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ମଧ୍ୟ ଭାଙ୍ଗି ମାଟିରେ ମିଶିଯାଇଛି। ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଏଭଳି ଭୟଙ୍କର କାଳବୈଶାଖୀ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଝଡ଼-ପବନ ଯୋଗୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ମୁଖ୍ୟ ରାସ୍ତା ଉପରେ ପଡ଼ିଯାଇଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁ କହିଛନ୍ତି ଯେ, ସ୍ଥିତି ଉପରେ ନଜର ରଖାଯାଇଛି। ରାସ୍ତାରୁ ଗଛ କାଟି ଅବରୋଧ ହଟାଇବା ପାଇଁ ତୁମୁଡିବନ୍ଧ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିପନ୍ନମାନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share