ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ହଠାତ୍ ପାଗ ବଦଳିବା ସହ ଘଡ଼ଘଡ଼ି ଓ ପ୍ରବଳ ଝଡ଼ତୋଫାନ ସହ ପ୍ରାୟ ଏକ ଘଣ୍ଟା ଧରି ଜୋରଦାର ବର୍ଷା ହୋଇଛି। ଏହି କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।
ପ୍ରବଳ ବର୍ଷା ଓ ପବନ ଯୋଗୁଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅନେକ ଗଛ ଭାଙ୍ଗି ପଡ଼ିଛି। କେତେକ ସ୍ଥାନରେ ବିଦ୍ୟୁତ୍ ତାର ଓ ଖୁଣ୍ଟ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଯୋଗୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।
ବର୍ଷା ଥମିବା ପରେ ଟାଟା ପାୱାରର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପାଇଁ କାମ ଆରମ୍ଭ କରିଦେଇଛନ୍ତି। ରାସ୍ତା ଓ ବିଦ୍ୟୁତ୍ ଲାଇନ୍ରୁ ଗଛ କଟାଯାଇ ସଫା କରାଯାଉଛି। ତେବେ କ୍ଷତିର ମାତ୍ରା ଅଧିକ ଥିବାରୁ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ସ୍ବାଭାବିକ ହେବା ପାଇଁ ଆହୁରି କିଛି ଘଣ୍ଟା ସମୟ ଲାଗିଯିବ ବୋଲି ସୂଚନା ମିଳିଛି।
ଏହି କାଳବୈଶାଖୀ ବର୍ଷା ଯୋଗୁଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲେ ସ୍ଥାନୀୟ ଲୋକଙ୍କୁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ମିଳିଛି। ତାପମାତ୍ରାରେ ଗ୍ରାଫ୍ ହ୍ରାସ ପାଇବା ସହ ପାଗ କୋହଲା ହୋଇଛି। ଏଥିସହିତ ପ୍ରଚଣ୍ଡ ରୌଦ୍ରତାପରେ ଶୁଖିଯାଉଥିବା ଗଛଲତା ଓ ପ୍ରକୃତିକୁ ମଧ୍ୟ ନୂତନ ଜୀବନ ମିଳିଛି।