ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକ ପରେ ଏହି ଘୋଷଣା କରିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ସେ କହିଛନ୍ତି। ଏହା ସହିତ ଜନସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂରଣ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଉତ୍ତରପ୍ରଦେଶ କ୍ୟାବିନେଟ୍ରେ ଆଉ ଏକ ପ୍ରସ୍ତାବ ପାରିତ ହୋଇଛି।
କ୍ୟାବିନେଟ୍ ବୈଠକ ପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅକ୍ଟୋବର ୭ ତାରିଖ ଦେଶର ଇତିହାସରେ ଏକ ସ୍ମରଣୀୟ ଦିନ। ଜନସେବା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମର୍ପିତ ଯାତ୍ରା ପାଇଁ ଉତ୍ତରପ୍ରଦେଶ କ୍ୟାବିନେଟ୍ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶର ସମ୍ପର୍କ ସ୍ୱତନ୍ତ୍ର । କାଶୀର ଏମପି ଭାବେ ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଆଗକୁ ବଢ଼ୁଛି । ରାଜ୍ୟରେ ଏକ୍ସପ୍ରେସ୍ୱେ ନେଟୱର୍କର ସମ୍ପ୍ରସାରଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଓ ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ସେ ଦାବି କରିଛନ୍ତି।
ଯୋଗୀ ଆଦିତ୍ୟନାଥ କହିଛନ୍ତି, ଗତ ୯ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶର ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିଛି । ପିଏମ୍ କିଷାନ ଯୋଜନା ଅଧୀନରେ ଚାଷୀଙ୍କ ଖାତାକୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଯାଇଛି। ଏହା ସହ ଚାଷୀଙ୍କ ଋଣ ଛାଡ଼, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ଆଖୁ ଚାଷୀଙ୍କୁ ୧୪ ଦିନ ମଧ୍ୟରେ ଟଙ୍କା ପ୍ରଦାନ ଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପ୍ରଥମ ପର୍ଯ୍ୟାୟ ଓ କାର୍ଗୋ ଟର୍ମିନାଲ୍କୁ ୨୦୨୬ ମାର୍ଚ୍ଚ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ଘାଟନ କରିଥିଲେ । ପରେ ଜୁନ୍ ୧୫ରୁ ଏଠାରେ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଇଣ୍ଡିଗୋ ଓ ଆକାସା ଏୟାର ଏଠାରୁ ବିମାନ ସେବା ଆରମ୍ଭ କରିଥିବା କୁହାଯାଇଛି।
ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ପ୍ରାୟ ୧୧,୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏୟାରପୋର୍ଟର ସମସ୍ତ ଚାରିଟି ପର୍ଯ୍ୟାୟର କାମ ଶେଷ ହେଲେ ଏହା ଏସିଆର ତୃତୀୟ ବୃହତ୍ତମ ବିମାନବନ୍ଦର ହେବ ବୋଲି ଆକଳନ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପରେ ପ୍ରାୟ ୨୯,୫୬୦ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଛି। ଜେୱର ଏୟାରପୋର୍ଟରେ ୩,୯୦୦ ମିଟର ଲମ୍ବର ରନ୍ୱେ ନିର୍ମାଣ କରାଯାଇଛି। ଏହା ବଡ଼ ଆକାରର ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ଉପଯୋଗୀ ହେବା ଭଳି ଡିଜାଇନ୍ କରାଯାଇଛି ।