ଶବଦାହ ପାଇଁ ମିଳୁନି କାଠ

ବରଗଡ଼ ଅଫିସ,୧୮।୨- ବରଗଡ ସହରର ଶବଦାହ ପାଇଁ ଏବେ କାଠର ଅଭାବ ଦେଖିବାକୁ ମିଳିଛି । ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଫଳରେ ବରଗଡ଼ରେ ଏକ ସ୍ଥାୟୀ ବିଦ୍ୟୁତ ଶବଦାହ ଚୁହ୍ଲା ଖୋଲିବାକୁ ଆମ ଆଦମୀ ପାର୍ଟି (ଆପ) ଦାବି କରିଛି । ସେହିପରି ରିହାତି ମୂଲ୍ୟରେ କାଠ ଯୋଗାଇ ଦେବା, ବରଗଡ ଜୀରାନଦୀ ସ୍ବର୍ଗଦ୍ୱାରକୁ ସଂଯୋଗ କରୁଥିବା ବ୍ରିଜ ଭାଙ୍ଗି ଯାଇଥିବାରୁ ତୁରନ୍ତ ନିର୍ମାଣ କରିବାକୁ ମଧ୍ୟ ଦାବି ହୋଇଛି। ଏହା ସହିତ ଗୋବିନ୍ଦପାଲିସ୍ଥିତ ଶ୍ମଶାନ ଘାଟର ପୁନଃରୁଦ୍ଧାର କରିବା, ବରଗଡ ପୋର ପରିଷଦ ଅଧିନରେ ଆବେଦନ କରୁଥିବା ହରିଶ୍ଚନ୍ଦ୍ର ଯୋଜନାରେ ଲୋକଙ୍କୁ ସହାୟତା ଶୀଘ୍ର ଦେବାକୁ ଦାବି ହୋଇଛି। ଏହି ଦାବି ସମୂହ ନେଇ ଗୁରୁବାର ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ନିର୍ଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ। ଆମ ଆଦମୀ ପାର୍ଟିର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର, ଅସିତ ସାହୁ, ସ୍ବାମୀ ଧ୍ୟାନ ଦୀପକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।