Categories: ଖେଳ

ଭାକ୍ସିନ ନ ନେଲେ ଫ୍ରେଞ୍ଚ ଓପନରେ ଏଣ୍ଟ୍ରି ନାହିଁ

ପ୍ୟାରିସ,୧୭।୧: ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ମଧ୍ୟ ବାଦ୍‌ ଦିଆଯାଇପାରେ। ତାଙ୍କୁ ଫ୍ରାନ୍ସର ନୂଆ ଭାକ୍ସିନ ପାସ ଆଇନରୁ କୌଣସି ଛାଡ଼ ମିଳିବ ନାହିଁ ବୋଲି ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ସୋମବାର ସ୍ପଷ୍ଟ କରିଛି। ୨୦ଟି ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ୍‌ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ଭାକ୍ସିନ ନେଇ ନାହାନ୍ତି। ଏହି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆରୁ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରବିବାର ପ୍ରତ୍ୟର୍ପଣ କରାଯାଇଛି।

ଫ୍ରାନ୍ସର ଭାକ୍ସିନ ପାସ ଆଇନ ରବିବାର ସଂସଦରେ ପାରିତ ହୋଇଛି। ଏହି ଆଇନ ଅନୁଯାୟୀ, ରେଷ୍ଟୁରାଣ୍ଟ, କାଫେ, ସିନେମା, ଦୂରଗାମୀ ଟ୍ରେନ ଭଳି ସାଧାରଣସ୍ଥାନରେ ଟିକାକରଣ ପ୍ରମାଣପତ୍ର ବିନା ଲୋକଙ୍କୁ ଏଣ୍ଟ୍ରି ମିଳିବ ନାହିଁ।

“ଏହି ଆଇନ ଖୁବ୍‌ ସରଳ। ଏହା କାର୍ଯ୍ୟକାରୀ ହେବା ମାତ୍ରେ ଭାକ୍ସିନ ପାସ ଲାଗୁ କରାଯିବ। ଦର୍ଶକ ହୁଅନ୍ତୁ କି ପେଶାଦାର ଖେଳାଳି ଏହି ଆଇନ ସଭିଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ। ଆଉ ଏହା ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବଳବତ୍ତର ରହିବ। ରୋଲାଣ୍ଡ ଗାରୋସ ଟୁର୍ନାମେଣ୍ଟ ମେ’ରେ ହେବାର ଅଛି। ବର୍ତ୍ତମାନ ଓ ସେତବେଳର ପରିସ୍ଥିତିରେ ପରିବର୍ତ୍ତନ ଦେଖାଦେଇପାରେ। ଆମେ ଆଶା କରୁଛୁ, ପରିବେଶ ଅନୁକୂଳ ରହିବ। କିନ୍ତୁ କାହାକୁ କୌଣସି ଛାଡ଼ ମିଳିବ ନାହିଁ” ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share