Categories: Home Leftଖେଳ

ଦେଶ ପାଇଁ ୧୪ କୋଟି ଟଙ୍କା ତ୍ୟାଗ କରିଦେଲେ ଟ୍ରାଭିସ ହେଡ୍‌! IPL ୨୦୨୭ରୁ ଓହରିଯାଇ ସମସ୍ତଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ ପାଇଁ ରିଟେନ ଓ ରିଲିଜ ହୋଇଥିବା ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିବା ପୂର୍ବରୁ ଟ୍ରାଭିସ ହେଡ୍‌କୁ ନେଇ ଏକ ବଡ଼ ଖବର ଆସିଛି। ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟର୍‌ IPL ୨୦୨୭ରୁ ଓହରିଯାଇଛନ୍ତି। ଅର୍ଥାତ୍‌ ଆଗାମୀ ସିଜିନରେ ସେ ଖେଳୁଥିବା ଦେଖିବାକୁ ମିଳିବେନି। ଏହାଦ୍ୱାରା କ୍ରିକେଟ ପ୍ରଶଂସକମାନେ IPLର ସବୁଠାରୁ ବିସ୍ଫୋରକ ଓପନିଂ ଯୋଡ଼ି ଅଭିଷେକ ଶର୍ମା ଓ ଟ୍ରାଭିସ ହେଡ୍‌ଙ୍କ ଧମାକା ଦେଖିବାରୁ ବଞ୍ଚିତ ହେବେ। ତେବେ ପ୍ରଶ୍ନ ଉଠୁଛି, କାହିଁକି IPL ୨୦୨୭ରୁ ଓହରିଲେ ଟ୍ରାଭିସ ହେଡ? କାହିଁକି ଖେଳିବେନି ଆଗାମୀ IPL ସିଜିନ?

ଟ୍ରାଭିସ IPL ୨୦୨୭ରେ ନଖେଳିବା ପଛର କାରଣ ତାଙ୍କ କାର୍ଯ୍ୟଭାର ଏବଂ ଅନ୍ତର୍ଜାତୀୟ କ୍ରିକେଟ ପ୍ରତି ପ୍ରତିବଦ୍ଧତା ସହ ଜଡ଼ିତ। କ୍ରିକବଜ ରିପୋର୍ଟ ଅନୁଯାୟୀ, ହେଡ ନିଜ ନିଷ୍ପତ୍ତି ବିଷୟରେ ସନ୍ରାଇଜର୍ସ ହାଇଦ୍ରାବାଦ (SRH)କୁ ଜଣାଇ ଦେଇଛନ୍ତି।

ହେଡଙ୍କ ଅନୁପସ୍ଥିତି SRHର ବ୍ୟାଟିଂ ଲାଇନଅପ ପାଇଁ ଏକ ବଡ଼ ଝଟକା ହୋଇଥିବା ବେଳେ ଡିସେମ୍ବର ୧୬ ତାରିଖରେ ଗୋଆରେ ହେବାକୁ ଥିବା ମିନି ଅକ୍ସନ ପୂର୍ବରୁ ଫ୍ରାଞ୍ଚାଇଜିର ପର୍ସରେ ମଧ୍ୟ ବଡ଼ ଅର୍ଥ ଯୋଡ଼ି ହେବ। ଟ୍ରାଭିସ ହେଡ ସେହି ୫ ଜଣ କ୍ୟାପ୍ଡ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କୁ ଫ୍ରାଞ୍ଚାଇଜି ରିଟେନ କରିଥିଲା। ତାଙ୍କୁ ଦଳ ପକ୍ଷରୁ ୧୪ କୋଟି ଟଙ୍କା ମିଳୁଥିଲା।

ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ (WTC) ଫାଇନାଲ ଖେଳିବାର ସମ୍ଭାବନା ରହିଛି। ଏହା IPL ପରେ ଅନୁଷ୍ଠିତ ହେବ। ଏହାପରେ ଆସେସ ସିରିଜ ଏବଂ ଦିନିକିଆ ବିଶ୍ୱକପ ମଧ୍ୟ ରହିଛି। ଏହି ସମସ୍ତ ବଡ଼ ସିରିଜ ଓ ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଟ୍ରାଭିସ ହେଡ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେଣୁ ତାଙ୍କର IPLରୁ ଓହରିବା ନିଷ୍ପତ୍ତି ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ।

Dharitri – Odisha’s No.1 Odia Daily

Share
Tags: travis head