ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ ସଂଘ (ISMA) କହିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ISMA ଅଧ୍ୟକ୍ଷ ନୀରଜ ଶିରଗାଓଁକର ଚିନି ଦର ବୃଦ୍ଧିର କାରଣ ଓ ଦେଶରେ ଚିନି ମହଜୁଦ ସମ୍ପର୍କରେ ସୂଚନା ଦେଇଛନ୍ତି।

ନୀରଜ ଶିରଗାଓଁକରଙ୍କ କହିବା ଅନୁସାରେ, ଚିନି ଦରରେ ନିକଟରେ ହୋଇଥିବା ବୃଦ୍ଧି ପଛରେ ଏକାଧିକ କାରଣ ରହିଛି। ଆଗାମୀ ଦିନରେ ଦର ବଢ଼ିବ ବୋଲି ଆଶା କରି ବ୍ୟବସାୟୀ ଓ ଥୋକ ଉପଭୋକ୍ତାଙ୍କ ପକ୍ଷରୁ ଅଧିକ ପରିମାଣରେ ଚିନି କିଣାଯିବା ଏହାର ଏକ ପ୍ରମୁଖ କାରଣ। ଏହା ସହ ଖରାପ ପାଗପାଣି ଯୋଗୁ ଚିନି ଉତ୍ପାଦନରେ ମଧ୍ୟ ହ୍ରାସ ଘଟିଛି। ତେବେ ଚିନିର କୃତ୍ରିମ ଅଭାବ ସୃଷ୍ଟି କରିବା କିମ୍ବା ମିଲ ସ୍ତରରେ ଦର ବଢ଼ାଇବାରେ ଚିନି ମିଲ୍‌ଗୁଡ଼ିକର କୌଣସି ଭୂମିକା ନାହିଁ ବୋଲି ଶିରଗାଓଁକର ସ୍ପଷ୍ଟ କରିଛନ୍ତି।

ଗତ କିଛି ଦିନରେ ଚିନିର ଖୁଚୁରା ଦର ଦ୍ରୁତ ଗତିରେ ବଢ଼ିବା ପରେ କେନ୍ଦ୍ର ସରକାର ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ସରକାର ୧୦ ଲକ୍ଷ ଟନ କଞ୍ଚା ଚିନିର ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେବା ପରେ ବଜାରରେ ଚିନି ଦର ନରମ ହେବା ଆରମ୍ଭ କରିଛି ବୋଲି ISMA ଅଧ୍ୟକ୍ଷ କହିଛନ୍ତି।

ସେ କହିଛନ୍ତି ଯେ, ଭାରତରେ ଚିନିର କୌଣସି ଅଭାବ ନାହିଁ। ବର୍ତ୍ତମାନର ଚିନି ମାର୍କେଟିଂ ସେସନ ସେପ୍ଟେମ୍ବର ଶେଷରେ ସମାପ୍ତ ହେବା ସମୟରେ ପ୍ରାୟ ୩୫ ଲକ୍ଷ ଟନ ଚିନି ମହଜୁଦ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଚିନି ମଲ୍‌ଗୁଡ଼ିକର ଆଗାମୀ ପେଷାଇ ସିଜନ ପ୍ରାୟ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବ ବୋଲି ISMA ପକ୍ଷରୁ କୁହାଯାଇଛି। ଅକ୍ଟୋବର ମାସରେ ପ୍ରାୟ ୧୦ରୁ ୧୨ ଲକ୍ଷ ଟନ ଚିନି ଉତ୍ପାଦନ ହୋଇପାରେ। ସେହି ସମୟରେ ଅକ୍ଟୋବରରେ ଚିନିର ଚାହିଦା ପ୍ରାୟ ୨୪ରୁ ୨୫ ଲକ୍ଷ ଟନ ରହିବ ବୋଲି ଆକଳନ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କହିଛନ୍ତି ଯେ, ଦେଶରେ ଚିନିର କୌଣସି ଅଭାବ ନାହିଁ। ତେବେ ଚିନି ମହଙ୍ଗା ହେବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଉଛି ‘ରେଡ ରଟ’ ରୋଗ ଏବଂ ଅନ୍ୟଟି ହେଉଛି ଏଲ ନିନୋ ପରିସ୍ଥିତି। ଏହି ଦୁଇ କାରଣ ଯୋଗୁ ଚିନି ଉତ୍ପାଦନ ହ୍ରାସ ପାଇଛି।

କେବଳ ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି। ଚିନି ଦର ବଢ଼ିବାକୁ ନେଇ ସାଧାରଣ ଲୋକଙ୍କ ସହ ସରକାର ମଧ୍ୟ ଚିନ୍ତିତ ଥିବାରୁ କେନ୍ଦ୍ର ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଭାରତର ବାର୍ଷିକ ଚିନି ଆବଶ୍ୟକତା ପ୍ରାୟ ୨୮୦ ଲକ୍ଷ ଟନ ଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଅତିରିକ୍ତ ଚିନି ମହଜୁଦ ରହିଛି। ତେଣୁ ଦୀର୍ଘ ସମୟ ଧରି ଲୋକଙ୍କୁ ଚିନି ମହଙ୍ଗାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସରକାର ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

Odisha’s No.1 Odia Daily

Share