ନାହିଁ ନାହିଁରେ ଯୁଗପୁରା ପାସେଞ୍ଜର୍‌ ହଲ୍ଟ

ବୈଶିିଙ୍ଗା,୧୦।୮(ଡି.ଏନ.ଏ.)-ପୂର୍ବତଟ ରେଳପଥ ଅଧୀନ ରୂପ୍‌ସା- ବାଙ୍ଗିରିପୋଷୀ ରେଳପଥର ବୈଶିଙ୍ଗା ନିକଟସ୍ଥ ସର୍ବ ପୁରାତନ ଯୁଗପୁରା ପାସେଞ୍ଜର୍‌ ହଲ୍ଟ ଅଦ୍ୟାବଧି ଷ୍ଟେଶନର ମାନ୍ୟତା ପାଇପାରିନାହିଁ। ଏଠାରେ ପ୍ଲାଟ୍‌ଫର୍ମ ନାହିଁ। ରୋଗୀ, ଶିଶୁ ଓ ମହିଳାଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କୁ ଟ୍ରେନ୍‌କୁ ଉଠିବା ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥାଏ। ଅନେକ ସମୟରେ ଏହି କାରଣରୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଶୌଚାଳୟ ନାହିଁ। ପାନୀୟ ଜଳର ବ୍ୟବସ୍ଥା ନାହିଁ। ସବୁଠାରୁ ବଡ଼ ସମସ୍ୟା, ଗତବର୍ଷ ମାର୍ଚ୍ଚ ୨୦ ତାରିଖଠାରୁ କରୋନା ସଂକ୍ରମଣ କାରଣ ଦର୍ଶାଇ ଏଠାରେ ଟିକେଟ ବିକ୍ରି କାଉଣ୍ଟର ବନ୍ଦ କରି ଦିଆ ଯାଇଛି। ଫଳରେ ଏଠାରେ ଟ୍ରେନ୍‌ ଧରୁଥିବା ଯାତ୍ରୀମାନଙ୍କୁ ଅନ୍‌ଲାଇନରେ ଟିକେଟ କାଟିବାକୁ ପଡ଼ୁଛି। ଅଧିକାଂଶ ଯାତ୍ରୀ ବିନା ଟିକେଟରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି।
୨୦୧୯ ଜୁଲାଇ ୨୫ ତାରିଖରେ ଭାଜପାର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରି ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାକ୍ଷାତ୍‌ କରି ଯୁଗପୁରା ପାସେଞ୍ଜର୍‌ ହଲ୍ଟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଇତି ମଧ୍ୟରେ ଦୁଇବର୍ଷ ବିତିଗଲାଣି। ହେଲେ ଏହି ରେଳ ରହଣିର ରୂପରେଖରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ରେଳରହଣି ଉପରେ ଆଖପାଖ ୬ଟି ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ସମେତ ବଡ଼ସାହି ବ୍ଲକ ଅଞ୍ଚଳର ବ୍ୟବସାୟୀମାନେ ନିର୍ଭର କରିଥାନ୍ତି। ସ୍ଥାନୀୟ ରାଜନେତାଙ୍କ ଉଦାସୀନତା ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ରହଣି ସ୍ଥଳ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ବୋଲିି କହିଛନ୍ତି ଆଇନଜୀବୀ ମନୋଜ କୁମାର ପଣ୍ଡା । ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ଏହି ପାସେଞ୍ଜର ହଲ୍ଟର ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗରେ ପରିଣତ କରାଯାଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ରଘୁନାଥ ରାଉତ କହିଛନ୍ତି। ଅନ୍ୟପକ୍ଷେ, ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କୁ ପଚାରିବାରୁ ଯୁଗପୁରାଠାରେ ସମ୍ପୂର୍ଣ୍ଣ ନୂତନ ହାଇଲେଭଲ୍‌ ପ୍ଲାଟଫର୍ମ ନିର୍ମାଣ ନିମନ୍ତେ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିଥିବା ଏବଂ ଅର୍ଥ ବ୍ୟବସ୍ଥା ହୋଇ ସାରିଥିବା ସମ୍ପର୍କରେ ରେଳ ଡିଭିଜନାଲ ମ୍ୟାନେଜର ବର୍ଷେ ତଳେ ସୂଚନା ଦେଇଥିଲେ। ତେବେ କାହିଁକି କାର୍ଯ୍ୟ ଅଟକି ରହିଛି ଏ ସଂକ୍ରାନ୍ତରେ ସେ ଖୁବ୍‌ ଶୀଘ୍ର ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ କରିବେ ବୋଲି କହିଛନ୍ତି।