ନୂଆଦିଲ୍ଲୀ,୧୬।୧୧: ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ୟୁନିଟି କିଚେନ ଯୋଜନା ନେଇ କିଭଳି ରୂପରେଖ ପ୍ରସ୍ତୁତ କରାଯାଇଛି ସେ ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଏନ୍.ଭି. ରମନା ବିଚାରପତି ଏ.ଏସ୍. ବୋପନ୍ନା ଏବଂ ହେବା କୋହଲିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ଏକ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି। କମ୍ୟୁନିଟି କିଚେନ ଯୋଜନା ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାଲ ମାଧବୀ ଦେବାନ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି ଯେ, ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି। ରାଜ୍ୟ ସରକାରଙ୍କ ମତାମତ ଗ୍ରହଣ ପରେ ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ।