ଅଧିକାରୀ ନାହାନ୍ତି, କାର୍ଯ୍ୟ ବାଧାପ୍ରାପ୍ତ

କୁଜଙ୍ଗ, ୨୯ା୧ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ଅନୁସାରେ ଅଧିକାରୀ ନ ଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଠିକ୍‌ ସମୟରେ ହୋଇପାରୁନାହିଁ। ଏନେଇ ଆଇନଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୁଜଙ୍ଗ ତହସିଲ ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଏହା ଅଧୀନରେ ପାରାଦୀପ ବନ୍ଦର ସମେତ ବୃହତ୍‌ ଓ କ୍ଷୁଦ୍ରଶିଳ୍ପ ରହିଛି। ଏହି ତହସିଲରୁ ଜଗତ୍‌ସିଂହପୁର ଜିଲାର ସର୍ବାଧିକ ରାଜସ୍ବ ଆଦାୟ ହୁଏ। ବାର୍ଷିକ ହାରାହାରି ୮ରୁ ୧୦ କୋଟି ଟଙ୍କା ରାଜସ୍ବ ସରକାରଙ୍କ ନିକଟକୁ ଯାଏ। ଏହି କାର୍ଯ୍ୟାଳୟରେ ଜଣେ ତହସିଲଦାର ଓ ୩ ଅତିରିକ୍ତ ତହସିଲଦାର ପଦବୀ ଥିବାବେଳେ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ତହସିଲଦାରଙ୍କ ସମେତ ଜଣେ ଅତିରିକ୍ତ ତହସିଲଦାର ରହିଛନ୍ତି।
ଏହାଛଡା କୁଜଙ୍ଗରେ ଉପନିବନ୍ଧକ ନ ଥିବାରୁ ଅତିରିକ୍ତ ତହସିଲଦାର ଏହି ଦାୟିତ୍ୱ ତୁଲାଉଥିଲେ। ମାତ୍ର ଗତ ଡିସେମ୍ବର ୨୭ରୁ ଅତିରିକ୍ତ ତହସିଲଦାର ପୂଜା ଲେଙ୍କା ମାତୃତ୍ୱକାଳୀନ ଛୁଟିରେ ଯାଇଛନ୍ତି। ଏହାପରଠୁ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ତହସିଲ କାମ ସମେତ ଉପନିବନ୍ଧକଙ୍କ କାର୍ଯ୍ୟ ତୁଲାଉଛନ୍ତି। ଅପରପକ୍ଷେ ସେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଯଦି କୌଣସି ସ୍ଥାନକୁ ଚାଲି ଯାଉଛନ୍ତି ତେବେ ତହସିଲକାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଛି। ଅନେକ ସମୟରେ ମିଶ୍ରଙ୍କୁ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ଅଞ୍ଚଳକୁ ଯିବାକୁ ପଡୁଛି। ଫଳରେ ତହସିଲରୁ ଛାତ୍ରୀଛାତ୍ରମାନେ ଆୟ, ବାସସ୍ଥାନ, ଉତ୍ତରାଧିକାରୀ ଓ ଜାତିଗତ ପ୍ରମାଣପତ୍ର ପାଇପାରୁ ନାହାନ୍ତି। ଅନେକ କ୍ଷେତ୍ରରେ ବିଭିନ୍ନ ସତ୍ୟପାଠ ପାଇଁ ଆଇନଜୀବୀମାନେ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଉଛନ୍ତି। ଜମିବାଡି କିଣାବିକା କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ ା
ଏ ସମ୍ପର୍କରେ ଆଇନଜୀବୀ ଗତିକୃ୍‌ଷ୍ଣ ଶତପଥୀ କହିଛନ୍ତି, ଜିଲା ପ୍ରଶାସନ କମ୍ପାନୀ କାର୍ଯ୍ୟରେ ବ୍ୟସ୍ତ ରହି ସାଧାରଣ ଜନତାଙ୍କ ଅସୁବିଧା କଥା ପାସୋରି ଯାଇଛନ୍ତି। ଏନେଇ ତହସିଲଦାର ମିଶ୍ର କହିଛନ୍ତି, ଯେଉଁଠି ୫ଜଣ ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରିବା କଥା
ସେଠାରେ ମୁଁ ଜଣେ କ’ଣ କରିପାରିବି। ସରକାର ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ଅଦ୍ୟାବଧି ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତେଣୁ ସରକାର ତୁରନ୍ତ ଖାଲିଥିବା ପଦବୀଗୁଡିକ ପୂରଣ କଲେ ଜନସାଧାରଣଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ସେ କହିଛନ୍ତି।