Categories: ଜାତୀୟ

ଦଳଦଳ ହେଲେଣି ଦଳ

ନୂଆଦିଲ୍ଲୀ, ୬।୨(ପି.ଟି.): ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ସଂଖ୍ୟା ୨୦୧୦ରୁ ୨୦୧୯ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଅଣସ୍ବୀକୃତ ଦଳ ଅର୍ଥ ଯେଉଁମାନେ ନୂଆ ପଞ୍ଜୀକୃତ ହୋଇଛନ୍ତି କିମ୍ବା ରାଜ୍ୟସ୍ତରୀୟ ଦଳ ହେବା ପାଇଁ ବିଧାନସଭା ଓ ସାଧାରଣ ନିର୍ବାଚନରେ ଯଥେଷ୍ଟ ଭୋଟ ପାଇନାହାନ୍ତି, ଅଥବା ପଞ୍ଜୀକୃତ ହେବା ପରେ କେବେ ବି ନିର୍ବାଚନ ଲଢ଼ିନାହାନ୍ତି। ୨୦୧୦ରେ ଏଭଳି ରାଜନୈତିକ ଦଳ ସଂଖ୍ୟା ୧,୧୧୨ ଥିଲା। ୨୦୧୯ ବେଳକୁ ତାହା ବଢ଼ି ୨,୩୦୧ରେ ପହଞ୍ଚତ୍ଛି।
୧୦ ବର୍ଷରେ ଦଳ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ବିଶେଷ କରି ସଂସଦୀୟ ନିର୍ବାଚନ ବର୍ଷରେ ସଂଖ୍ୟା ଯଥେଷ୍ଟ ବଢ଼ୁଥିବା ଦେଖାଯାଇଛି। ରିପୋର୍ଟ ଅନୁଯାୟୀ ୨୦୧୮ ଓ ୨୦୧୯ ମଧ୍ୟରେ ରାଜନୈତିକ ଦଳ ସଂଖ୍ୟା ୯.୮ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ୨୦୧୩ ଓ ୨୦୧୪ ମଧ୍ୟରେ ଏହା ୧୮ ପ୍ରତିଶତ ବଢ଼ିଥିଲା। ଏଡିଆର୍‌ ରିପୋର୍ଟ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ପଞ୍ଜୀକୃତ ଅଣସ୍ବୀକୃତ ଦଳଗୁଡ଼ିକ ୬,୮୬୦ ଜଣଙ୍କଠାରୁ ମୋଟ ୬୫.୪୫ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଥିବା ଘୋଷଣା କରିଥିଲେ। ଏହା ପୂର୍ବବର୍ଷ ୨୪.୬ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଉତ୍ତରପ୍ରଦେଶର ଅପ୍‌ନା ଦେଶ ପାର୍ଟି ଦୁଇ ଆର୍ଥିକ ବର୍ଷରେ ସର୍ବାଧିକ ୬୫.୪୫ କୋଟି ଟଙ୍କା ଚାନ୍ଦା ପାଇଥିଲା, ଯାହା କି ମୋଟ ଘୋଷିତ ଚାନ୍ଦାର ୭୨.୮୮ ପ୍ରତିଶତ। ରିପୋର୍ଟରେ ୧୩୫ଟି ପାର୍ଟି ଉପରେ ବିଶ୍ଲେଷଣ କରାଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଦଳର ଚାନ୍ଦା ରିପୋର୍ଟ ମିଳି ନ ଥିଲା। ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ନିର୍ବାଚନ କମିଶନ ଅଣସ୍ବୀକୃତ ଦଳଗୁଡ଼ିକ ଲାଗି ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ୨୦୧୪ ଅକ୍ଟୋବର ୧ରୁ ସବୁ ରାଜନୈତିକ ଦଳ ପାଇଁ ଲାଗୁ ହେଉଛି। ସେହି ଅନୁଯାୟୀ ଦଳଗୁଡ଼ିକ ସେମାନଙ୍କ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ ପ୍ରୟୋଜନୀୟ ରିପୋର୍ଟ ଦାଖଲ କରିଥାନ୍ତି।

 

Share