ଜାଣିବା ଦରକାର ନାହିଁ

ଭାରତୀୟ ଇତିହାସ, ସଂସ୍କୃତି ଓ ଐତିହ୍ୟ ଉପରେ ଭାରତ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ବିଦେଶ ବିଶ୍ୱବିଦ୍ୟାଳୟରେ ଏହି ହ୍ୟୁମାନିଟିଜ୍‌ ସବ୍‌ଜେକ୍ଟସ ବା ମାନବବାଦୀ ବିଷୟ ପଢ଼ିବା ଲାଗି ଜାତୀୟ ଦରିଆପାରି ମେଧାବୃତ୍ତି (ଏନ୍‌ଓଏସ୍‌) ସକାଶେ ଆବେଦନ କରୁଥିବା ଛାତ୍ରୀଛାତ୍ରଙ୍କୁ ଆଉ ସେହି ସୁବିଧା ଦିଆଯିବ ନାହିଁ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ନିୟମାବଳୀ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଭାରତରେ ଏହିସବୁ ବିଷୟ ପଢ଼ିବା ଲାଗି ଏଠାକାର ବିଶ୍ୱବିଦ୍ୟାଳୟରେ ପାଠର ଭଣ୍ଡାର ରହିଛି। ତେଣୁ ସେହି ବିଷୟଗୁଡ଼ିକ ବିଦେଶରେ ପଢ଼ିବା ଲାଗି ଅର୍ଥ ବ୍ୟୟ କରିବାର ଆବଶ୍ୟକତା ନାହିଁ। ଏହା ପରିବର୍ତ୍ତେ ବିଦେଶ ବିଶ୍ୱବିଦ୍ୟାଳୟରେ ଅନ୍ୟାନ୍ୟ ବିଷୟ ଉପରେ ବିଶେଷ ଜ୍ଞାନ ଆହରଣ କରିବା ନିମନ୍ତେ ସମ୍ବଳ ବିନିଯୋଗ କରାଯାଇପାରିଲେ ମଙ୍ଗଳଦାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ବିଭିନ୍ନ ଆଡ଼ୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାସ୍ତବରେ ଦେଖିଲେ ମନୁବାଦ ଚିନ୍ତାଧାରା ଭାରତୀୟ ସାମାଜିକ ପ୍ରଗତିକୁ ସବୁବେଳେ ବାଧା ପହଞ୍ଚାଇଆସିଛି। ସେଥିରେ ଅନେକ ସକାରାତ୍ମକ ଚିନ୍ତାଧାରା ଥିବା ସତ୍ତ୍ୱେ ସାଧାରଣରେ ଯାହା ହୁଏ ତାହା ହିଁ ହୋଇଛି। ଅର୍ଥାତ୍‌ ସକାରାତ୍ମକ ଦିଗକୁ ଛାଡ଼ିଦେଇ ସମାଜ ପାଇଁ ଯାହାସବୁ ନକାରାତ୍ମକ ସେତିକି ଉପରକୁ ଦିଶୁଛି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏବେ ନେଇଥିବା ନିଷ୍ପତ୍ତି ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ବୁଝାପଡ଼ୁଛି। ପ୍ରକୃତ କଥା ହେଉଛି ଯେତେବେଳେ ଭାରତୀୟ ଯୁବପିଢ଼ି ବିଦେଶ ଯାଇ ଭାରତୀୟ ଇତିହାସ, ସଭ୍ୟତା, ସଂସ୍କୃତି, ଐତିହ୍ୟ ବିଷୟରେ ପଢ଼ିବେ ସେତେବେଳେ ସେମାନେ ସବୁ ଦିଗରୁ ବୁଝିବାର ସୁଯୋଗ ପାଇବେ। ଯେଉଁ ବହିଗୁଡ଼ିକୁ ଭାରତରେ ପଢ଼ିବା ସମ୍ଭବ ନୁହେଁ, ତାହାକୁ ସେମାନେ ବିଦେଶରେ ଭଲ ଭାବେ ପଢ଼ିପାରିବେ। ଉଦାହରଣସ୍ବରୂପ ଓ୍ବେଣ୍ଡି ଡନିଗରଙ୍କ ‘ଦି ହିନ୍ଦୁ: ଆନ୍‌ ଅଲ୍‌ଟରନେଟିଭ୍‌ ହିଷ୍ଟ୍ରି’ ପୁସ୍ତକର ବିକ୍ରିକୁ ଭାରତ ସରକାର ଏହି ଦେଶରେ ନିଷିଦ୍ଧ କରିଦେଇଛନ୍ତି। ସେହିସବୁ ପାଶ୍ଚାତ୍ୟ ଚିନ୍ତାଧାରା ସବୁବେଳେ ଖ୍ରୀଷ୍ଟଧର୍ମ ଦିଗରୁ ଭାରତୀୟମାନଙ୍କୁ ସମାଲୋଚନା କରୁଛି ବୋଲି କେତେକ ମହଲରୁ ଯେଉଁ ଯୁକ୍ତି ବଢ଼ାଯାଏ, ତାହା ନିର୍ବୁଦ୍ଧିଆର ଲକ୍ଷଣ। ସାଧାରଣରେ ମଣିଷ ଚରିତ୍ର ନିଜର ତ୍ରୁଟିକୁ୍‌ ସ୍ବୀକାର କରେନାହିଁ। ଅପରପଟେ ଇତିହାସର ଦ୍ୱାହି ଦେଇ ଦୀର୍ଘକାଳ ରହିଆସିଥିବା ଜାତିପ୍ରଥା ଭଳି ଅସାମାଜିକ ଚିନ୍ତାଧାରାକୁ ଏପର୍ଯ୍ୟନ୍ତ ବଞ୍ଚାଇ ରଖାଯାଇଛି। ଯେଉଁମାନେ ଜାତିପ୍ରଥାକୁ ସମର୍ଥନ କରନ୍ତି ସେମାନଙ୍କ ଯୁକ୍ତି ଅସରନ୍ତି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଉପରଲିଖିତ ନିଷ୍ପତ୍ତି ସ୍ପଷ୍ଟ କରିଦେଉଛି ଯେ ଭାରତୀୟ ଇତିହାସ ଓ ସଂସ୍କୃତି ଉପରେ ନିରପେକ୍ଷ ଗବେଷଣାକୁ ଆଜିର ଭାରତୀୟ ବ୍ୟବସ୍ଥା ଚିହ୍ନିବାକୁ ଅନିଚ୍ଛୁକ। ବିଦେଶ ବିଶ୍ୱବିଦ୍ୟାଳୟରେ ବଞ୍ଚିରହିଥିବା ନିରପେକ୍ଷତା ଏବେକାର ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାକୁ ବ୍ୟସ୍ତ କରୁଥିବା ଭଳି ମନେହେଉଛି। ଏହାର ଅନ୍ୟ ଏକ ମାରାତ୍ମକ ଦିଗକୁ ବି ଦେଖାଯିବା ଦରକାର। ଏହି ବ୍ୟବସ୍ଥା ଭାରତୀୟ ଇତିହାସକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବାକୁ ଚେଷ୍ଟିତ। ଇତିହାସ କେବଳ ଜବାହରଲାଲ୍‌ ନେହେରୁଙ୍କଠାରେ ଅଟକି ଯାଇନାହିଁ। ଏହି ଚିନ୍ତାଧାରା ମୋଗଲ ଶାସନକୁ ମଧ୍ୟ ଇତିହାସରୁ ଲୋପ କରିଦେବା ପାଇଁ ସୁଯୋଗ ମିଳିଲେ କରିଦିଅନ୍ତା। ଏହାର ଅର୍ଥ ନୁହେଁ ଯେ, ମୁସଲମାନ ଶାସକମାନେ ଭାରତ ପାଇଁ ମଙ୍ଗଳମୟ ହୋଇଥିଲେ। କିନ୍ତୁ ଇତିହାସର ବାସ୍ତବତାକୁ ବଦଳାଇ ଦେଲେ ଆଜିର ଭାରତୀୟ ଚରିତ୍ର ସୁଦୃଢ଼ ହେବା ପରିବର୍ତ୍ତେ ଅଧିକ ଦୁର୍ବଳ ହେବାର ସବୁ ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ, ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଇତିହାସ ଦେଖାଯାଉ। ସେ ଜେଲରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ରହି ପ୍ରାଣ ହରାଇଥିଲେ। ତେବେ ସୁରେନ୍ଦ୍ର ସାଏଙ୍କୁ ବ୍ରିଟିଶ ହାତରେ ଧରାଇଦେବାରେ ତାଙ୍କ ନିଜ ଲୋକଙ୍କ ହାତ ଥିଲା ବୋଲି ସାଧାରଣରେ ଜଣା। ଏଭଳି ଇତିହାସ ଅନେକ ତଥାକଥିତ ଦେଶପ୍ରେମୀ ବୋଲାଉଥିବା ଲୋକଙ୍କୁ ବାଧିପାରେ। ଆଜିର ସ୍ଥିତିରେ ଏହିଭଳି ଅପ୍ରିୟ ସତ୍ୟକୁ ଲୁଚାଇଦେବାର ଉଦ୍ୟମ ଏବେ ଆରମ୍ଭ ହୋଇଛି। ସେଥିପାଇଁ ଏବର ସବୁ ବିଫଳତାକୁ ବୁଝାଇଦେବା ପାଇଁ ଇତିହାସ ତ୍ରୁଟିର ଦ୍ୱାହି ଦିଆଯାଉଛି। ତେଣୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଚାହୁଁ ନାହିଁ ଭାରତୀୟ ଛାତ୍ରୀଛାତ୍ର ବିଦେଶ ଯାଇ ଭାରତର ବାସ୍ତବ ଇତିହାସ ପଢ଼ନ୍ତୁ ଓ ତାହା ଉପରେ ଅଧିକ ଗବେଷଣା କରନ୍ତୁ। ଏବେ ଯେଉଁଭଳି ଭାବେ ପ୍ରକୃତ ଇତିହାସକୁ ବଦଳାଇ ଦେବାର ଉଦ୍ୟମ ହେଉଛି, ତାହା ଆଗାମୀ ପିଢ଼ିକୁ ବାସ୍ତବତାଠାରୁ ଦୂରେଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri