ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିବ ନାହିଁ। ହ୍ବାଟ୍ସଆପ୍ର ଗୋଟିଏ କ୍ଲିକ୍ରେ ଏହିଭଳି ୧୯୦ ପ୍ରକାର ସେବାର ବିବରଣୀ ମାତ୍ର ୨ ମିନିଟ୍ ମଧ୍ୟରେ ହାତ ପାଆନ୍ତାରେ ମିଳିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ସେଣ୍ଟର ଫର ମଡର୍ନାଇଜିଂ ଗଭର୍ନମେଣ୍ଟ ଇନିସିଏଟିଭ୍(ସିଏମ୍ଜିଆଇ) ପକ୍ଷରୁ ‘ଆମ ସାଥୀ’ ନାମକ ଏକ ପୋର୍ଟାଲ କାର୍ଯ୍ୟକାରୀ ହୋଇଛି। ଖୁବ୍ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପଣ କରିବେ। ଦେଶରେ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ, ଯେଉଁଠି ଲୋକେ ଘରେ ବସି ବିଭିନ୍ନ ବିଭାଗର ସେବା ଅନ୍ଲାଇନରେ ପାଇପାରିବେ। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପୂର୍ବରୁ ବହୁ ପୋର୍ଟାଲ କାର୍ଯ୍ୟକ୍ଷମ ହୋଇଛି, ସେସବୁ ମଧ୍ୟରୁ ଅନେକ ଠିକଣା ଭାବେ କାର୍ଯ୍ୟାନ୍ବୟନ ହୋଇପାରୁ ନ ଥିବାବେଳେ ‘ଆମ ସାଥୀ’ କିଭଳି ଜନାଦୃତ ହେବ ସେନେଇ ‘ସିଏମ୍ଜିଆଇ’ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନାଙ୍କ ସହ ‘ଧରିତ୍ରୀ’ର ଏକ ସ୍ବତନ୍ତ୍ର ସାକ୍ଷାତ୍କାର।
ପ୍ରଶ୍ନ:- ‘ଆମ ସାଥୀ’ ଚାଟ୍ବଟ୍ର ମୂଳ ଲକ୍ଷ୍ୟ କ’ଣ?
ଉତ୍ତର: ‘ଆମ ସାଥୀ’ କେବଳ ଏକ ଚାଟ୍ବଟ୍ ନୁହେଁ, ବରଂ ନାଗରିକଙ୍କ ନିକଟରେ ସରକାରୀ ସେବାକୁ ସହଜ, ସ୍ବଚ୍ଛ, ସମୟବଦ୍ଧ ଏବଂ ଉତ୍ତରଦାୟୀ ଭାବେ ପହଞ୍ଚାଇବାର ଏକ ଅଭିନବ ପ୍ରୟାସ।
ପ୍ରଶ୍ନ:-ବହୁ ପୋର୍ଟାଲ ଠିକଣା ଭାବେ କାର୍ଯ୍ୟାନ୍ବୟନ ହୋଇପାରୁ ନ ଥିବାବେଳେ ରାଜ୍ୟ ସରକାର କାହିଁକି ହ୍ବାଟ୍ସଆପ୍ ବଟ୍ର ଆବଶ୍ୟକତା ଅନୁଭବ କଲେ?
ଉତ୍ତର:- ଓଡ଼ିଶା ଲୋକସେବା ଅଧିକାର ଆଇନ (ଓଆର୍ଟିପିଏସ୍ଏ) ଅନୁଯାୟୀ ନାଗରିକମାନଙ୍କର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସରକାରୀ ସେବା ପାଇବାର ଆଇନଗତ ଅଧିକାର ରହିଛି। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଲୋକମାନେ ବିଭିନ୍ନ ୱେବ୍ ପୋର୍ଟାଲ୍ କିମ୍ବା ଆପ୍ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମାତ୍ର ସେମାନେ ହ୍ବାଟ୍ସଆପ୍ ବ୍ୟବହାର କରୁଛନ୍ତି। ତେଣୁ ନାଗରିକଙ୍କୁ ସରକାରୀ ବ୍ୟବସ୍ଥା ପାଖକୁ ଆଣିବା ପରିବର୍ତ୍ତେ ସରକାରୀ ସେବାକୁ ସେମାନଙ୍କ ହାତପାଆନ୍ତାରେ ପହଞ୍ଚାଇବା ପ୍ରୟାସ ମାତ୍ର।
ପ୍ରଶ୍ନ: ‘ଓଆର୍ଟିପିଏସ୍ଏ’ ସହ ‘ଆମ ସାଥୀ’ର ସମ୍ପର୍କ କ’ଣ?
ଉତ୍ତର: ‘ଓଆର୍ଟିପିଏସ୍ଏ’ ହେଉଛି ଏହି ବ୍ୟବସ୍ଥାର ମୂଳ ଆଧାର। କେଉଁ ସେବା କେତେ ସମୟ ମଧ୍ୟରେ ମିଳିବ ଏବଂ ବିଳମ୍ବ ହେଲେ ନାଗରିକଙ୍କର କେଉଁ ଅଧିକାର ରହିଛି, ତାହା ଏହି ଆଇନରେ ସ୍ପଷ୍ଟ କରାଯାଇଛି। ‘ଆମ ସାଥୀ’ ସେହି ଆଇନକୁ କାର୍ଯ୍ୟକାରୀ କରିବାର ଏକ ମାଧ୍ୟମ।
ପ୍ରଶ୍ନ: ବିଭିନ୍ନ ବିଭାଗର ସ୍ବତନ୍ତ୍ର ପୋର୍ଟାଲ ଥିବାବେଳେ ଏହା ନାଗରିକଙ୍କ ପାଇଁ ସମସ୍ୟା ହେବନି ତ ?
ଉତ୍ତର: କେବେ ନୁହେଁ, ପୂର୍ବରୁ ଜନ୍ମ ପ୍ରମାଣପତ୍ର ପାଇଁ ଗୋଟିଏ ବିଭାଗ, ସାର ଲାଇସେନ୍ସ ପାଇଁ ଅନ୍ୟ ବିଭାଗ, କଲ୍ୟାଣ ଯୋଜନା ପାଇଁ ଆଉ ଏକ ବିଭାଗକୁ ଯିବାକୁ ପଡ଼ୁଥିଲା। ପ୍ରତ୍ୟେକର ଅଲଗା ପୋର୍ଟାଲ୍, ଅଲଗା ଲଗ୍-ଇନ୍ ଓ ଅଲଗା ପ୍ରକ୍ରିୟା ଥିଲା। ‘ଆମ ସାଥୀ’ ଏହି ସମସ୍ତ ସେବାକୁ ଏକକ ପ୍ଲାଟଫର୍ମରେ ଏକତ୍ର କରିଛି। ବର୍ତ୍ତମାନ ନାଗରିକଙ୍କୁ କୌଣସି ବିଭାଗର ସେବା ସମ୍ପର୍କରେ ଜାଣିବାର ଆବଶ୍ୟକତା ନାହିଁ।
ପ୍ରଶ୍ନ: ଜଣେ ନାଗରିକ ‘ଆମ ସାଥୀ’ ଚାଟ୍ବଟ୍ ମାଧ୍ୟମରେ କେଉଁ ସେବା ପାଇପାରିବେ?
ଉତ୍ତର: ‘ଆମ ସାଥୀ’ ମାଧ୍ୟମରେ ୧୯୦ରୁ ଅଧିକ ସରକାରୀ ସେବା ଉପଲବ୍ଧ ହୋଇଛି ଏବଂ ଏହାର ସଂଖ୍ୟା ଲଗାତାର ବଢ଼ୁଛି। ଜନ୍ମ ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ, ଜମି ରେକର୍ଡ, ଜାତୀୟ ପରିବାର କଲ୍ୟାଣ ସହାୟତା ଯୋଜନା, କୃଷି, ଉଦ୍ୟାନ କୃଷି, ଶିକ୍ଷା ଓ ପୋଲିସ ସମ୍ବନ୍ଧୀୟ ବିଭିନ୍ନ ସେବା ଏହି ପ୍ଲାଟଫର୍ମରେ ଉପଲବ୍ଧ। ଏଥିରେ ଗୃହବିଭାଗର ବିଭିନ୍ନ ସେବା ସହ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ଆପଏଣ୍ଟମେଣ୍ଟ ବୁକିଂ, ଆୟ, ବାସିନ୍ଦା, ଜାତି, ଉତ୍ତରାଧିକାରୀ ଓ ଅଭିଭାବକ ପ୍ରମାଣପତ୍ର, ଜମି ରେକର୍ଡ, ଜମି ମ୍ୟୁଟେସନ୍, ଜମି ରୂପାନ୍ତର ଆବେଦନ, ଡ୍ରାଇଭିଂ ଲାଇସେନ୍ସ ଓ ଲର୍ନର୍ସ ଲାଇସେନ୍ସ, ସାର ଓ ବିହନ ଲାଇସେନ୍ସ, ଜାତୀୟ ପରିବାର କଲ୍ୟାଣ ସହାୟତା ଯୋଜନା, ସାମାଜିକ ସୁରକ୍ଷା ବିଭାଗର ବିଭିନ୍ନ ପେନ୍ସନ୍ ଏବଂ ଆନ୍ତଃଜାତି ବିବାହ ପ୍ରୋତ୍ସାହନ ଯୋଜନା ଭଳି ସେବା ସାମିଲ ରହିଛି।
ପ୍ରଶ୍ନ: ଏହି ସେବା ଏକାଧିକ ଭାଷାରେ ଉପଲବ୍ଧ କି?
ଉତ୍ତର: ହଁ, ‘ଆମ ସାଥୀ’ ଓଡ଼ିଆ ଓ ଇଂଲିଶ – ଉଭୟ ଭାଷାରେ ଉପଲବ୍ଧ। ଏଥିସହ ଭଏସ୍ ସୁବିଧା ମଧ୍ୟ ରହିଛି। ଯେଉଁମାନେ ଟାଇପ୍ କରିବାରେ ଅସୁବିଧା ଅନୁଭବ କରନ୍ତି କିମ୍ବା କମ୍ ସାକ୍ଷର, ସେମାନେ ନିଜ ପସନ୍ଦର ଭାଷାରେ କଥା କହି ସେବା ପାଇପାରିବେ।
ପ୍ରଶ୍ନ: କୌଣସି ସେବାରେ ବିଳମ୍ବ ହେଲେ କିମ୍ବା ଅଭିଯୋଗ ଥିଲେ ନାଗରିକ କ’ଣ କରିପାରିବେ?
ଉତ୍ତର: ଏଥିପାଇଁ ‘ଆମ ସାଥୀ’ରେ ଏକ ସ୍ବତନ୍ତ୍ର ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥା ରହିଛି। ଓଆର୍ଟିପିଏସ୍ଏ ଅନୁଯାୟୀ ବିଳମ୍ବିତ ସେବା କ୍ଷେତ୍ରରେ ଆବେଦନକାରୀଙ୍କୁ ଅପିଲ୍ କରିବାର ଅଧିକାର ମିଳିଛି।
ପ୍ରଶ୍ନ: ଡିଜିଟାଲ୍ ସଂଯୋଗ, ଇଣ୍ଟରନେଟ୍ ସୁବିଧା ଏହି ବ୍ୟବସ୍ଥା ପାଇଁ ବାଧକ ହେବ କି?
ଉତ୍ତର: ଏହା ନିଶ୍ଚିତ ଭାବେ ଏକ ଆହ୍ବାନ। କିନ୍ତୁ ବାସ୍ତବତା ହେଉଛି, ଗ୍ରାମାଞ୍ଚଳରେ ସରକାରୀ ପୋର୍ଟାଲ କିମ୍ବା ସ୍ବତନ୍ତ୍ର ଆପ୍ ତୁଳନାରେ ହ୍ବାଟ୍ସଆପ୍ର ବ୍ୟବହାର ଅଧିକ ରହିଛି। ତେଣୁ ଲୋକେ ଯେଉଁ ମାଧ୍ୟମକୁ ପୂର୍ବରୁ ବ୍ୟବହାର କରୁଛନ୍ତି, ସେହି ପ୍ଲାଟଫର୍ମରେ ସରକାରୀ ସେବା ପହଞ୍ଚାଇବା ସବୁଠାରୁ ବ୍ୟବହାରିକ ଏବଂ ପ୍ରଭାବଶାଳୀ ପଦକ୍ଷେପ।
ରିପୋର୍ଟ-ରବିନାରାୟଣ ଜେନା