ବୁଢ଼ାବାପା ନାହିଁ

ଓଡ଼ିଶା ସମେତ ଭାରତରେ ଖାଦ୍ୟସାମଗ୍ରୀ ଓ ପନିପରିବା ଦର ସାଧାରଣ ଲୋକଙ୍କ କିଣିବା କ୍ଷମତାଠାରୁ ବହୁ ଊର୍ଦ୍ଧ୍ୱକୁ ଚାଲିିଗଲାଣି। ଜିରା କିଲୋଗ୍ରାମ ଉପରେ ୬୦୦ ଟଙ୍କା ବୃଦ୍ଧି ପାଇଥିବା କଥା ଶୁଣିଲେ ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ। ଚାଉଳ, ଡାଲି, ଖାଇବା ତେଲ, ଅଦା, ରସୁଣ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସାଧାରଣ ଲୋକଙ୍କୁ ବହୁତ ବାଧିଲାଣି। ବିଲାତି ବାଇଗଣ (ଟମାଟୋ) କିଲୋ ୨୦୦ ଟଙ୍କା ଉପରକୁ ଯାଇ ଗତ କିଛି ସପ୍ତାହ ହେବ ମୁଖ୍ୟଖବର ରହିଆସିଛି। କିନ୍ତୁ ସେଥିରେ ଦରବୃଦ୍ଧି ସୀମିତ ନୁହେଁ। ପ୍ରାୟ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଏଭଳି ବଢ଼ିଛି ଯେ, ସାଧାରଣ ଲୋକ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲାଣି। କେନ୍ଦ୍ର ସରକାର ବୁଦ୍ଧି ଲଗାଇ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରଖିଛନ୍ତି। କିନ୍ତୁ ଗହୀରେଇ ଦେଖିଲେ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ମୂଲ୍ୟ ଅପେକ୍ଷାକୃତ ହ୍ରାସ ପାଇଥିଲେ ମଧ୍ୟ ସରକାର ସେହି ସୁବିଧା ଜନସାଧାରଣଙ୍କୁ ଦେଉନାହାନ୍ତି। ଯଦି ଖାଦ୍ୟ ମୁଦ୍ରାସ୍ଫୀତିର ପରିସଂଖ୍ୟାନକୁ ଦେଖାଯାଏ ଜୁନ୍‌ରେ ଏହା ୪.୬ ପ୍ରତିଶତ ହୋଇଥିବା ବେଳେ ତା’ ପୂର୍ବ ମାସ ଏହା ଥିଲା ୩ ପ୍ରତିଶତରୁ କମ୍‌। ଏଭଳି ସ୍ଥିତିରେ ଜୁଲାଇକୁ ହିସାବକୁ ନେଲେ ସ୍ଥିତି ଆହୁରି ଖରାପ ରିପୋର୍ଟ ଦେବ ବୋଲି ଅନୁମାନ କରିହେଉଛି। କାରଣ ଚଳିତ ମାସ ସବୁ ପ୍ରକାର ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି। ଅବଶ୍ୟ କେହି ଭୁଲିଯିବା କଥା ନୁହେଁ ଯେ, ଭାରତର ଜନସଂଖ୍ୟା ବହୁଳ ମାତ୍ରାରେ ବୃଦ୍ଧି ପାଉଛି। ତତ୍‌ସହିତ ସରକାରୀ ନୀତି ଅନୁଯାୟୀ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଜନସଂଖ୍ୟା ସ୍ଥାନାନ୍ତରିତ କରିବାର ଲଗାତର ଅସ୍ବାଭାବିକ ପ୍ରଚେଷ୍ଟା କୃଷି ଅର୍ଥନୀତିକୁ ଘୋର ଆଞ୍ଚ ପହଞ୍ଚାଇଛି। ସମସ୍ତଙ୍କ ମନେଥିବ ଉତ୍ତମ ଫସଲ ବର୍ଷରେ ସେନ୍‌ସେକ୍ସ ସମେତ ସବୁ ଅର୍ଥନୈତିକ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ଗ୍ରାଫ୍‌ ଦେଖାଇଥାଏ। ସେଥିରେ ଉତ୍‌ଫୁଲ୍ଲିତ ହେଉଥିବା ପଣ୍ଡିତମାନେ ଗଭୀରକୁ ଯାଇ ତା’ର କାରଣ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ବୋଲି ଅନୁମାନ କରିହେଉଛି। ତାହା କେବଳ ମାତ୍ର ସୂଚାଉଛି ଯେ, ଆଜି ମଧ୍ୟ ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ କୃଷିର ସଫଳତା ଉପରେ ନିର୍ଭରଶୀଳ।
ସବୁ ସମୟ ପାଇଁ ଦେଖାଯାଇଛି ଯେ, ସାମଗ୍ରୀଗୁଡ଼ିକର ଦରଦାମ ନିୟନ୍ତ୍ରଣ ଭିତରେ ରହିଲେ ପରିବାର ପ୍ରତିପୋଷଣ ସହଜ ହୋଇଥାଏ। କୋଭିଡ୍‌ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ଜନସାଧାରଣଙ୍କ ଆୟ ଯଥେଷ୍ଟ କମିଯାଇଛି। ଯେତେବେଳେ ବ୍ୟକ୍ତିର ଆୟ କମିଯିବ ଓ ଅନ୍ୟପକ୍ଷରେ ତା’ର ବ୍ୟୟ ବଢ଼ିଯିବ, ସେତେବେଳେ ତା’ର ଚଳିବା କଷ୍ଟକର ହୋଇଯିବ। ସରକାର ଲୋକଙ୍କ ବାସ୍ତବ ଦୁଃଖକୁ ନ ଦେଖି ଦେଶବାସୀଙ୍କୁ ବୁଝାଇବାରେ ଲାଗିଛନ୍ତି। ଦରଦାମ ବୃଦ୍ଧି ନେଇ ସରକାରଙ୍କୁ ଦୋଷ ଦିଆଗଲେ ଅସ୍ବାଭାବିକ ମୌସୁମୀ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଆଦି କେତେକ ଘୋଷା କଥାକୁ ଲୋକଙ୍କ ଆଗରେ ଥୋଇ ଦିଆଯାଉଛି। ଏଥିସହିତ ଦେଶର ଏକ ପ୍ରମୁଖ ଇଂଲିଶ ଖବରକାଗଜ ‘ଦି ଇକୋନୋମିକ୍‌ ଟାଇମ୍ସ’ରେ ୨୭ ଜୁଲାଇରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବକ୍ତବ୍ୟ ବ୍ୟସ୍ତ କରିବା ସ୍ବାଭାବିକ। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ନେତୃତ୍ୱାଧୀନ ସରକାର ପରିବର୍ତ୍ତେ ଯଦି ଅନ୍ୟ କେହି ଶାସନ କରୁଥାଆନ୍ତେ, ତେବେ ଆଜି କ୍ଷୀର ଲିଟର ପିଛା ୩୦୦ ଟଙ୍କା ହୋଇଥାଆନ୍ତା ଓ ଡାଲି ୫୦୦ ଟଙ୍କା କିଲୋ ଛୁଇଁଥାଆନ୍ତା।
ନିକଟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତ ସମ୍ବନ୍ଧରେ ଏକ ସକାରାତ୍ମକ ରିପୋର୍ଟ ପ୍ରଦାନ କରିଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୬ ପ୍ରତିଶତ ବୃଦ୍ଧି ପାଇବ। ‘ବିରାଡ଼ି କପାଳକୁ ଶିକା ଛିଡ଼ିଲା’ ଭଳି କେନ୍ଦ୍ର ସରକାର ଏବେ ଏହି ଆକଳନ ରିପୋର୍ଟକୁ ଅନ୍ତର୍ଜାତୀୟ ସ୍ବୀକୃତି ଭାବେ ଧରି ନେଇ ବାହାବା ନେଲେଣି। କୁହାଯାଇପାରେ ଯେ, ଆଇଏମ୍‌ଏଫ୍‌ର ଏହି ଆଶାବାଦୀ ରିପୋର୍ଟ ନୀତି ପ୍ରସ୍ତୁତକାରୀଙ୍କୁ ମୁଦ୍ରାସ୍ଫୀତି ଓ ବେକାରି ଭଳି ସମସ୍ୟାକୁ କମାଇବା ଲାଗି ସେମାନଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ସୃଷ୍ଟି କରିବ। କିନ୍ତୁ ଭାରତରେ ଅଧିକାଂଶ ନୀତିକାର ଓ ଗବେଷକ ରାଜନୈତିକ ବ୍ୟକ୍ତି, ବିଶେଷକରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହୋଇଥାଆନ୍ତି। ଏଠାରେ କୁହାଯାଇପାରେ ଯେ, ଦେଶ ଭିତରୁ ଯଦି କୌଣସି ଅଶ୍ୱସ୍ତିକର ତଥ୍ୟ ଉପରେ ଆଧାରିତ ରିପୋର୍ଟ ପ୍ରକାଶ ପାଉଛି, ତେବେ ସେଥିରେ ଜଡ଼ିତ ଅଫିସର କିମ୍ବା ପରିସଂଖ୍ୟାନବିତ୍‌ଙ୍କୁ ଚାକିରିରୁ ବିଦା କରିବା ସହିତ ଜେଲ୍‌କୁ ପଠାଇ ଦିଆଯାଉଛି। ସେହିଭଳି ବିଦେଶରୁ ଭାରତ ସମ୍ପର୍କରେ ପ୍ରକାଶ ପାଉଥିବା ତଥ୍ୟ ଯଦି ସରକାରଙ୍କୁ ସୁହାଉନାହିଁ, ତେବେ ତାହାକୁ ଆଭ୍ୟନ୍ତରୀଣ କାର୍ଯ୍ୟରେ ବାହ୍ୟଶକ୍ତିର ହସ୍ତକ୍ଷେପ କହି ନାକଚ କରି ଦିଆଯାଉଛି। ଅର୍ଥାତ୍‌ ବାସ୍ତବତାକୁ ସ୍ବୀକାର କରି ତା’ ଉପରେ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଆଜିର ସରକାର ଅନିଚ୍ଛୁକ ବୋଲି ବୁଝାପଡ଼ୁଛି। ପରିସଂଖ୍ୟାନ ଠିକ୍‌ ରହିଲେ ଦେଶବାସୀଙ୍କ ପାଇଁ ପ୍ରଣୟନ ହେଉଥିବା ନୀତି ସେମାନଙ୍କ କାର୍ଯ୍ୟରେ ଲାଗିଥାଏ। କିନ୍ତୁ ଭାରତରେ ପରିସଂଖ୍ୟାନର ବୁଢ଼ାବାପା ଭାବେ ପରିଚିତ ଜନଗଣନା ଦୀର୍ଘ କାଳ ସ୍ଥଗିତ ରଖାଯିବା ଫଳରେ ମୂଳରୁ ପ୍ରତ୍ୟେକଟି କାର୍ଯ୍ୟ ଏବଂ ଯୋଜନା ତ୍ରୁଟିପୂର୍ଣ୍ଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri