ଶୁଭୁନି ଫେରିବାଲାଙ୍କ ଡାକ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-ଚୁଡି ନେବ, ଶଙ୍ଖା ନେବ। ପ୍ଲାଷ୍ଟିକ ବାଲତି ନେବ, କଂସା ପିତ୍ତଳ ବାସନ ନେବ। ଶାଢୀ ନେବ ରେଡିମେଡ ଡ୍ରେସ ନେବ। ଏଭଳି ସକାଳ ହେଲେ କେନ୍ଦୁଝର ଜିଲାର ଗାଁ ଗଣ୍ଡାରେ ଶୁଭୁଥିଲା ଫେରିବାଲାଙ୍କ ଡାକ। କରୋନା ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ମଧ୍ୟରେ ଏହି ସବୁ ଡାକ ବନ୍ଦ ହୋଇଯାଇଛି। ଶହ ଶହ ଫେରିବାଲା ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ବୁଲି ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ଚାଲିଚାଲି, ସାଇକେଲ, ଲୁନା ତଥା ବାଇକ୍‌ରେ ବୁଲି ବିକି ପରିବାର ଚଳାଇଥାନ୍ତି ା ବିଶେଷ କରି ବାହାର ରାଜ୍ୟ ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରୁ ଆସି ବହୁ ଲୋକ ଏହି ବେପାର କରିଥାନ୍ତି। ଲୋକମାନେ ମଧ୍ୟ ସୁବିଧା ମୂଲ୍ୟରେ ଘର ପାଖରେ ସମସ୍ତ ଆବଶ୍ୟକ ସାମଗ୍ରୀ ପାଇ ଯାଉଥିବାରୁ ଏହି ଫେରିବାଲା ବ୍ୟବସ୍ଥା କାହିଁ କେଉଁ ସମୟରୁ ଚାଲି ଆସୁଛି। କେତେକ ସିନେମା ଗୀତ ବଜାଇ ବୁଲନ୍ତି ଓ ଲୋକ ମାନେ ଗୀତ ଶୁଣି ପଦାକୁ ଆସି ନିଜର ଆବଶ୍ୟକ ମୁତାବକ ସାମଗ୍ରୀ କିଣି ନିଅନ୍ତି। ଏହି ଫେରିବାଲା ଶଙ୍ଖା, ସିନ୍ଦୁର, ଅଳତା, ଟିକିଲି, ରେଡିମେଡ ଡ୍ରେସ, ଶାଢି, ବାସନ କୁସନ, ଆଇସକ୍ରିମ ଆଦି ଧରି ବୁଲିଥାନ୍ତି। କେତେକ ମୁଢି, ଚୁଡା, ଆଚାର ଆଦି ଖାଦ୍ୟ ଧରି ମହିଳା ମାନେ ମଧ୍ୟ ବିଭିନ୍ନ ଗାଁ ଗହଳିରେ ବୁଲି ବିକିଥାନ୍ତି। ଏହା ଦ୍ୱାରା ଏକ ନିଆରା ସମ୍ପର୍କ ଗଢି ଉଠେ। ଅନେକ ସମୟରେ ବାକିରେ ସାମଗ୍ରୀ ଦେଇ ଟଙ୍କା ପରେ ନେଇଥାନ୍ତି।
ଏଥିରେ ଯାହା ରୋଜଗାର କରନ୍ତି ସେଥିରେ ସେମାନଙ୍କ ଘର ପରିବାର ଚଳିଥାଏ। ଅନେକ ସମୟରେ ଜିନିଷ ବିକ୍ରି ନ ହେଲ ଖାଲି ହାତରେ ଫେରିବାକୁ ପଡ଼ିଥାଏ। କରନା ମହାମାରୀର ପ୍ରଥମ ଲହରରେ ସେମାନେ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ପୁଣି ଥରେ ନିଜର ରୋଜଗାରର ମୁଖ୍ୟସ୍ରୋତକୁ ଫେରିଆସିଥିଲେ। ଏବେ ଦିତୀୟ ଲହର ପୁଣି ଥରେ ସେମାନଙ୍କ ଜୀବନ ଜୀବିକାକୁ ଦୋହଲାଇ ଦେଇଛି। ଭୟରେ ସବୁ ଫେରିବାଲା ନିଜ ନିଜ ଗାଁକୁ ଫେରିଗଲା ପରେ ଗାଁ ଗଣ୍ଡା ବାଟ ଘାଟ ଶୂନଶାନ ହୋଇ ପଡିଛି। ଆଉ ଶୁଭୁନି ଫେରିବାଲାର ସେହି ଡାକ ବା ସିନେମା ଗୀତ।