ନାହିଁ ବିଦ୍ୟୁତ୍‌ ସଂଯୋଗ, ଡିବିରି ଆଲୁଅ ଭରସା

କୋକସରା, ୧୭।୧୨ (ଡି.ଏନ.ଏ.) ବିଦ୍ୟୁତ୍‌ ସେବାରୁ ବଞ୍ଚିତଲୋକଙ୍କ ନିକଟରେ ବିଦ୍ୟୁତ୍‌ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ହେଲେ ଆଜି ବି ଏହି ଯୋଜନା ଅନେକ ଗାଁରେ ପହଞ୍ଚି ପାରିନାହିଁ। କଳାହାଣ୍ଡି ଜିଲା କୋକସରା ବ୍ଲକ ଚିକିଲି ଗାଁର ନଦୀଖଣି କଛାରପଡାର ଲୋକେ ଦୀର୍ଘ ବର୍ଷ ହେବ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ଗାଁରେ ୧୬ ପରିବାରର ୧ ଶହରୁ ଊର୍ଦ୍ଧ୍ୱ ବାସ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ନ ଥିବା ଯୋଗୁ ଲୋକେ ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭରସାରେ ରୁହନ୍ତି। ଏଥି ଯୋଗୁ ଗାଁର ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ମଧ୍ୟ ଅନେକ ସମସ୍ୟା ଦେଖା ଦେଉଛି। ଗାଁରେ ଦୀର୍ଘ ୩ ବର୍ଷ ତଳେ ବିପିଏଲ ହିତାଧିକାରୀ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ମିଟର ସହ ଅନ୍ୟାନ୍ୟ ବିଦ୍ୟୁତ୍‌ ଉପକରଣ ପ୍ରଦାନ କରାଯାଇଥିଲା। ହେଲେ ଗାଁରେ ବିଦ୍ୟୁତ ପୋଲ କିମ୍ବା ଟ୍ରାନ୍ସଫର୍ମର ମଧ୍ୟ ଲାଗି ପାରିନାହିଁ। ଫଳରେ ଆଜି ବି ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବାବେଳେ ୩ବର୍ଷ ହେବ ବିଦ୍ୟୁତ୍‌ ମିଟରକୁ ଲୋକେ ଅନାଇ ରହିଛନ୍ତି। ଏ ନେଇ ବିଭିନ୍ନ ସମୟରେ ଗାଁ ଲୋକ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳୁନାହିଁ। ବିଭିନ୍ନ ସମୟରେ ଠିକାଦାରମାନେ ଆସି ଟଙ୍କା ଦେଲେ ଶୀଘ୍ର ବିଦ୍ୟୁତ ସଂଯୋଗ କରିଦେବା ପାଇଁ କହୁଥିବା ତୁଳାରାମ ବଗର୍ତ୍ତି, ଜଳ ବେମାଲ, ଭିକ ଶବର, ଚକ୍ରଧର ବେମାଲ, ଡମୁ ସୁନାନୀ, ବିନୋଦ ନିଆଲ, ଏକା ବାଗ, ବନୁଆ ନିଆଲ, ନିଲାମ୍ବର ସୁନାନୀ, ବିର ବଗର୍ତ୍ତି, ନରେନ୍ଦ୍ର ବେମାଲଙ୍କ ସମେତ ଗାଁ ଲୋକେ କହିଛନ୍ତି। ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ନେଇ କୁସୁମଖୁଣ୍ଟି ବିଦ୍ୟୁତ୍‌ ସହକାରୀ ଯନ୍ତ୍ରୀ ପ୍ରଦୀପ ଦାସଙ୍କୁ ପଚାରିବାରୁ କିଛି ସ୍ଥାନରେ କାମ ଚାଲୁ ରହିଛି, ଅଳ୍ପ ଦିନ ମଧ୍ୟରେ ସମାଧାନ ହୋଇଯିବ ବୋଲି କହିଥିଲେ ।