ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ସେଠାରେ ପାନୀୟ ଜଳ ବ୍ୟବସ୍ଥା ଏବଂ ଶୌଚାଳୟର ସୁବିଧା ନଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଜିଲା ଓ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକ ।

ପୂର୍ବରୁ ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୋତାଗଡ଼ ମୁଖ୍ୟ ଫାଟକ ସମ୍ମୁଖରେ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦୀର୍ଘ ମାସ ଧରି ତାହା ଅଚଳ ହୋଇପଡିଛି । ଫଳରେ ପିଇବା ପାଣି ପାଇଁ ପର୍ଯ୍ୟଟକ, ବିଶେଷକରି ମହିଳା ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏନେଇ ଗତ ଅଗଷ୍ଟ 24 ରେ ଗଞ୍ଜାମ ବ୍ଲକ ପରିସରେ ଅନୁଷ୍ଠିତ ଜିଲାସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଜିଲାପାଳ ଏନେଇ ବିରକ୍ତି ପ୍ରକାଶ କରି ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ପାନୀୟଜଳ ବ୍ୟବସ୍ଥା କାର୍ଯ୍ୟକାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ । ଐତିହାସିକ ପୋତାଗଡ଼ରେ ପାନୀୟ ଜଳ ଟିକିଏ ପାଇଁ ପର୍ଯ୍ୟଟକମାନେ ଡହଳ ବିକଳ ହେଉଥିବା ବେଳେ କେବେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା  । ଏଥିପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

 

Dharitri – Odisha’s No.1 Odia Daily

Share
Tags: Ganjam News