ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ମନ୍ତ୍ରୀ

ପୁରୀ ଅଫିସ,୮।୧୨: ଭିତର ରତ୍ନଭଣ୍ଡାର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିଲେ ମଧ୍ୟ ମରାମତି ନେଇ ଧ୍ୟାନ ଦିଆଯାଉ ନାହିଁ। ୨୦୧୮ରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା ୧୭ ଜଣିଆ ପ୍ରାଧିକୃତ କମିଟି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ରତ୍ନଭଣ୍ଡାର ଭିତର ଗୃହ ମରାମତି ଆବଶ୍ୟକ କରୁଥିବା କଥା ଜଣାଇଥିଲେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ମୁହଁ ଖୋଲିବାକୁ ମଧ୍ୟ ଚାହୁଁନାହିଁ। ଅନ୍ୟପକ୍ଷରେ ଚାଲିଥିବା ଶୀତ ଅଧିବେଶନରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ରତ୍ନଭଣ୍ଡାର ସ୍ଥିତି, ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ରତ୍ନଭଣ୍ଡାର ମରାମତି ନେଇ କ’ଣ ଯୋଜନା ରହିଛି, ସେ ସମ୍ପର୍କରେ ଉତ୍ତର ରଖିବାକୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଜେନା କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ଓ ଭିତର ରତ୍ନଭଣ୍ଡାରକୁ ନେଇ ଗଠିତ। ଶ୍ରୀଜଗନ୍ନାଥ ମନ୍ଦିର ନିୟମ,୧୯୬୦ର ନିୟମ ୬(୧) ଅନୁଯାୟୀ, କେବଳ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଦେଶ, ଧାର୍ଯ୍ୟ ସର୍ତ୍ତ ଓ ପରିସୀମା ଆଧାରରେ ଭିତର ରତ୍ନଭଣ୍ଡାର ଚାବି ଖୋଲାଯାଇପାରିବ। ଭିତର ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି ଆବଶ୍ୟକ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଅନୁମତି ଅନୁଯାୟୀ ପ୍ରାଧିକୃତ ବ୍ୟକ୍ତିଙ୍କ ସହ ଭାରତୀୟ ପ୍ରନତ୍ତତ୍ତ୍ବ ବିଭାଗର ବିଶେଷଜ୍ଞ ଦଳ ୨୦୧୮ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ରଥଯାତ୍ରା ସମୟରେ ଠାକୁର ମନ୍ଦିରରେ ନ ଥିବାବେଳେ ପୁନଶ୍ଚ ଭିତର ରତ୍ନଭଣ୍ଡାରର ଭିତରପଟ ପରୀକ୍ଷାନିରୀକ୍ଷା କରିବାକୁ ଉକ୍ତ ବିଶେଷଜ୍ଞ ଦଳ ମତ ପ୍ରଦାନ କରିଥିଲେ। ତେବେ ଭିତର ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଗୋଟିଏ ପଟେ ରାଜ୍ୟ ଆଇନ ବିଭାଗ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆଗ୍ରହ ଦେଖାଉ ନ ଥିବାବେଳେ ଅନ୍ୟପଟେ ଜିଲା ପ୍ରଶାସନ ଦିନକୁ ଦିନ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଛନ୍ଦି ହେବାରେ ଲାଗିଛି। ଚାବି ଦାଖଲ ଓ ନକଲ ଚାବିକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରି ଜିଲା ଟ୍ରେଜେରି ଗୋଟିଏ କଥା ସ୍ପଷ୍ଟ କରିଛି ଯେ ରତ୍ନଭଣ୍ଡାର ପ୍ରସଙ୍ଗରେ ଅନେକ ଗୁମର ଖୋଲିବା ବାକି ରହିଛି। ପୁରୀ ସହରରେ ଅନେକ ସାମାଜିକ କର୍ମୀ ଓ ରାଜନୈତିକ ଗୋଷ୍ଠୀ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଭଳି ଦାବିକୁ ଖାତିର କରୁନାହାନ୍ତି ବୋଲି ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ କ୍ରମାଗତ ଭାବେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଯୋଗାଡ଼ କରୁଥିବା ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଆଇନ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ। ୨୦୧୮ ଏପ୍ରିଲ ୪ରୁ ଆଜି ସୁଦ୍ଧା ୪ଟି ରଥଯାତ୍ରା ଶେଷ ହେଲାଣି। ସରକାରଙ୍କ ତରଫରୁ ରତ୍ନଭଣ୍ଡାର ମରାମତି କରିବା ପାଇଁ ଆନ୍ତରିକତା ନାହିଁ। ସେଥିପାଇଁ ରତ୍ନଭଣ୍ଡାର ପୁନଃ ଯାଞ୍ଚ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ରତ୍ନଭଣ୍ଡାର ମରାମତି କରିବାକୁ ହେଲେ ଉଭୟ ବାହାର ଓ ଭିତର ଖାଲି ଗୃହକୁ ଏଏସ୍‌ଆଇକୁ ହସ୍ତାନ୍ତର କରିବାକୁ ପଡ଼ିବ। ଖାଲି ଗୃହ ହସ୍ତାନ୍ତର କରିବାକୁ ହେଲେ ରତ୍ନଭଣ୍ଡାରର ସମସ୍ତ ରନତ୍ ଅଳଙ୍କାର ପୂର୍ବ ତାଲିକା ଅନୁସାରେ ଗଣତି କରି ବାହାରକୁ କାଢ଼ିବାକୁ ପଡ଼ିବ। ରନତ୍ ଅଳଙ୍କାର ଗଣତି ପରେ ଯଦି ପୂର୍ବ ତାଲିକାଠାରୁ ରନତ୍ ଅଳଙ୍କାର କମିବ ତେବେ ସରକାର ଭାଙ୍ଗିବାର ଭୟ ରହୁଛି। ସରକାର ଏହି ଭୟରେ ରତ୍ନଭଣ୍ଡାର ଖୋଲିବାକୁ ଇଚ୍ଛା କରୁନାହାନ୍ତି ବୋଲି ବରାଳ କହିଛନ୍ତି।