ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚତ୍ବା ପରେ ୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଲଘୁଚାପ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତିକରି ୨୩ ତାରିଖ ମଧ୍ୟରେ ଏହା ଉପକୂଳ ଛୁଇଁବ। ତେଣୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳକୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଚଳିତ ମାସରେ ଓଡ଼ିଶାରେ ବାତ୍ୟା ହେବାକୁ ନେଇ ବିଭିନ୍ନ ପାଣିପାଗ ମଡେଲ ଆକଳନ କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ ହୋଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ପୂର୍ବରୁ ବାତ୍ୟା ଆକଳନ କରିବା ଠିକ୍ ନୁହେଁ। ବାତ୍ୟା ଆକଳନରେ ଆଇଏମ୍ଡି ବିଶ୍ୱରେ ଅଦ୍ୱିତୀୟ। ତେଣୁ କୌଣସି ସଂସ୍ଥାର ବାତ୍ୟା ଆକଳନରେ ଆତଙ୍କିତ ନ ହେବାକୁ ଆଇଏମ୍ଡି ଡିଜି ପରାମର୍ଶ ଦେଇଛନ୍ତି। ଲଘୁଚାପ ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି।