ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ନାଁରେ ଅନାସ୍ଥା ଆଣିଛନ୍ତି। ଅନାସ୍ଥା ଆଗତ ହେବା ପରେ ୨୭ ତାରିଖ ଅପରାହ୍ନ ୩.୩୦ରେ ସମସ୍ତ ସଭ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି, ଗତ ଜୁନ୍ ୧୦ ତାରିଖରେ ମହାକାଳପଡ଼ା ବ୍ଲକ ଅଫିସରେ ଉନ୍ନୟନ କାର୍ଯ୍ୟ ଆଲୋଚନା ସମୟରେ କେତେକ ବ୍ୟକ୍ତି ଚାମେଲିଙ୍କୁ ବାଧା ଦେଇଥିଲେ ଓ ଧମକ ଦେଇଥିଲେ। ସେ ଭିଡିଓ ରେକର୍ଡ କରିବାରୁ ପୋଲିସ ଗାଡ଼ିରେ ମାଡ଼ ଖାଇଥିବା ଅଭିଯୋଗ ବି ହୋଇଥିଲା। ମହାକାଳପଡ଼ା ପୋଲିସ ତାଙ୍କୁ ଗିରଫ କରି ଏସ୍ଡିଜେଏମ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ବି ପ୍ରତିକ୍ରିୟା ଦେଇଥିଲେ। କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଥାନା ସମ୍ମୁଖରେ ପ୍ରତିବାଦ ଓ ଏସ୍ପିଙ୍କୁ ଦାବିପତ୍ର ଦିଆଯାଇଥିଲା। ଜୁନ ୧୭ରେ ତାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା।