କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ କହିଛନ୍ତି।
ଚାମେଲିଙ୍କ ବିରୋଧରେ ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ନାଁରେ ଅନାସ୍ଥା ଆଣିଥିଲେ। ସୂଚନା ଥାଉକି, ଗତ ଜୁନ ୧୧ରେ ମହାକାଳପଡ଼ା ବ୍ଲକ ଅଫିସରେ ଉନ୍ନୟନ କାର୍ଯ୍ୟ ଆଲୋଚନା ସମୟରେ କେତେକ ବ୍ୟକ୍ତି ଚାମେଲିଙ୍କୁ ବାଧା ଦେଇଥିଲେ ଓ ଧମକ ଦେଇଥିଲେ। ସେ ଭିଡିଓ ରେକର୍ଡ କରିବାରୁ ପୋଲିସ ଗାଡ଼ିରେ ମାଡ଼ ଖାଇଥିବା ଅଭିଯୋଗ ବି ହୋଇଥିଲା। ମହାକାଳପଡ଼ା ପୋଲିସ ତାଙ୍କୁ ଗିରଫ କରି ଏସ୍ଡିଜେଏମ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ବି ପ୍ରତିକ୍ରିୟା ଦେଇଥିଲେ। କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଥାନା ସମ୍ମୁଖରେ ପ୍ରତିବାଦ ଓ ଏସ୍ପିଙ୍କୁ ଦାବିପତ୍ର ଦିଆଯାଇଥିଲା। ଜୁନ ୧୭ରେ ତାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା।