ନୂଆଦିଲ୍ଲୀ,୨୮।୧୦: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଯାତ୍ରା କରିବା ସମୟରେ ରାତି ହେବା ପୂର୍ୱରୁ ହିଁ ନିଜର ଫୋନ କିମ୍ୱା ଲାପଟପ ସମ୍ପୂର୍ଣ୍ଣ ଚାର୍ଜ କରି ନିଅନ୍ତୁ, କାରଣ ଏବେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନରେ ଚାର୍ଜିଂ ପଏଣ୍ଟ ସୁବିଧା ବନ୍ଦ ରହିବ। ରେଳବାଇ ବୋର୍ଡ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବଡ଼ ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଜୋନାଲ ରେଳବାଇ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ। ନିର୍ଦ୍ଦେଶନାମାରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜିଂ ପଏଣ୍ଟ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ଏଥିରେ କୌଣସି ପ୍ରକାର କୋହଳ କରାଯିବ ନାହିଁ।
ପ୍ରକୃତରେ, ୨୫ ଅକ୍ଟୋବର ୨୦୨୬ ରେ ମୁମ୍ୱାଇ-ହାୱଡ଼ା ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀ ନିଜର ପାୱାର ବ୍ୟାଙ୍କ ଚାର୍ଜ କରୁଥିଲେ, ଏବଂ ସେହି ସମୟରେ ହିଁ ସେଥିରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ତୁରନ୍ତ ସମଗ୍ର ବଗିରେ ଧୂଆଁ ବ୍ୟାପିଯାଇଥିଲା, ଯାହା ଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ଏହି ଘଟଣାରୁ ଶିକ୍ଷା ନେଇ ଭାରତୀୟ ରେଳବାଇ ଏହି କଠୋର ନିର୍ଦ୍ଦେଶ ଜାରି କରିଛି। ରେଳବାଇ ବୋର୍ଡ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ କର୍ମଚାରୀମାନଙ୍କୁ ବୁଝାନ୍ତୁ ଏବଂ ତାଲିମ ଦିଅନ୍ତୁ, ଯାହାଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ ସମସ୍ତ ବଗିରେ ଥିବା ଚାର୍ଜିଂ ପଏଣ୍ଟ ଏହି ଛଅ ଘଣ୍ଟା ମଧ୍ୟରେ ବନ୍ଦ ରହିବ।
**ପୂର୍ୱରୁ କେବେ ଏହି ନିର୍ଦ୍ଦେଶ ଦିଆଯାଇଥିଲା?**
ଟ୍ରେନରେ ରାତି ସମୟରେ ଚାର୍ଜିଂ ପଏଣ୍ଟ ବନ୍ଦ ରଖିବାକୁ ରେଳବାଇ ନିର୍ଦ୍ଦେଶ ଦେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ୱରୁ ୧୯ ଜୁନ ୨୦୧୪ ରେ ମଧ୍ୟ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଚାର୍ଜିଂ ପଏଣ୍ଟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ମାର୍ଚ୍ଚ ୨୦୨୧ ରେ ରେଳବାଇ ପୁନର୍ୱାର ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଥିଲା। ସେହି ବର୍ଷ ମାର୍ଚ୍ଚ ୧୬ରୁ, ୱେଷ୍ଟର୍ଣ୍ଣ ରେଲୱେ ର୍ନିଦ୍ଧାରିତ ସମୟ ମଧ୍ୟରେ ଚାର୍ଜିଂ ପଏଣ୍ଟଗୁଡ଼ିକର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ଆରମ୍ଭ କରିଦେଇଥିଲା। ପାୱାର ବ୍ୟାଙ୍କ ଘଟଣା ପରେ, ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶରେ ଏହି ପୁରୁଣା ନିୟମକୁ ପୁନର୍ୱାର ଦୋହରାଯାଇଛି। ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ରାତ୍ରିକାଳୀନ ଯାତ୍ରା ଆରମ୍ଭ କରିବା ପୂର୍ୱରୁ ସେମାନେ ନିଜର ଫୋନ ଏବଂ ଅନ୍ୟାନ୍ୟ ଜରୁରୀ ଇଲେକ୍ଟ୍ରୋନିକ ଉପକରଣ ଚାର୍ଜ କରି ନିଅନ୍ତୁ।

