ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଲଗାଣ ବର୍ଷା ଯୋଗୁ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ମଞ୍ଜୁଲତା ବରାଡ଼ (୪୫) ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ବୋଲଗଡ଼ ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି।
ତହସିଲଦାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଜରିପାଲ ପ୍ରଦାନ କରାଯାଇଛି। ଏଥିସହ ଅଧିକାରୀମାନେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ଘରର କ୍ଷୟକ୍ଷତି ଆକଳନ କରୁଛନ୍ତି। ଏ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରାଯାଉଥିବାବେଳେ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଘଟଣା ସମ୍ପର୍କରେ ଖବର ପାଇ ଆମ ପ୍ରତିନିଧି ଖବର ପରିବେଷଣ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

