ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ୩ କି.ମି ବୁହାହେଲେ ପ୍ରସୂତି

ରାୟଗଡା,୧୨।୧(ଭାଗ୍ୟଶ୍ରୀ ମିଶ୍ର): ମା’ଙ୍କୁ ସମ୍ମାନ ନାରା ପ୍ରହସନ। ଦୁର୍ଗମରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ବାଟରେ ପ୍ରସବ କଲେ ମହିଳା। ଏଭଳି ଏକ ଘଟିଛି କଲ୍ୟାଣସିଂହପୁରୁ ବ୍ଲକ ପାର୍ସାଲି ପଞ୍ଚାୟତର ଦୁର୍ଗମ ନିୟମଗିରି ପାହାଡରେ ଥିବା ଫାକେରି ଗ୍ରାମରେ।

ମିଳିଥିବା ସୂଚନା ମୁତାବକ, କଲ୍ୟାଣସିଂହପୁରୁ ବ୍ଲକ ପାର୍ସାଲି ପଞ୍ଚାୟତ ଦୁର୍ଗମ ଫାକେରି ଗ୍ରାମର ମିଶ୍ର ଶିକକାଙ୍କ ସ୍ତ୍ରୀ ହୁଣ୍ଡାଇ ସିକକାଙ୍କ ଶୁକ୍ରବାର ଗର୍ଭ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା । ଏଭଳିସ୍ଥତିିରେ ହୁଣ୍ଡାଇ ଶିକକାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ଆଣୁଥିଲେ। ହେଲେ ଗାଁ କିଛି ଦୁରରେ ସେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେତିକିବେଳେ ଆମ୍ବୁଲାନ୍ସ କର୍ମଚାରୀ ଚାଲିଚାଲି ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପରେ ମହିଳାଙ୍କ ସହ ଶିଶୁଙ୍କୁ ୩କି.ମି ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଲ୍ୟାଣସିଂହପୁରୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମା’ଙ୍କ ଅବସ୍ଥା ଠିକ୍‌ ଥିବାବେଳେ ନବଜାତ ଶିଶୁ କନ୍ୟାଙ୍କ ଓଜନ କମ୍‌ ଥିବାରୁ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଡାକ୍ତର ସତ୍ୟ ଦାସ ଏବଂ ପ୍ରମୋଦ ମିଶ୍ର ପ୍ରକାଶ କରିଛନ୍ତି।