ନୀତୀଶଙ୍କ ଅସ୍ତ୍ର ‘ଜାତି’

କେନ୍ଦ୍ରର ଭାଜପା ସରକାର ବିଦେଶରୁ ଯନ୍ତ୍ରପାତି ମଗାଇ ପ୍ରତ୍ୟେକ ନାଗରିକଙ୍କ ‘ଗୁଣସୂତ୍ରର ଶୁଦ୍ଧତା’ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ଆଧାର କାର୍ଡଠାରୁ ବହୁ ଆଗକୁ ଚାଲିଯାଇଛି। ଆଧାରରେ କେବଳ ଅନ୍ତରଙ୍ଗ ତଥ୍ୟ ଯୋଗାଡ଼ କରାଯାଉଛି। କିନ୍ତୁ ଅନେକ ହଜାର କୋଟି ଟଙ୍କା ବ୍ୟୟରେ ଡିଏନ୍‌ଏ ପରୀକ୍ଷା ମାଧ୍ୟମରେ ପ୍ରତ୍ୟେକ ମଣିଷଙ୍କ ଗୁଣସୂତ୍ରକୁ ଜାଣିବା ପାଇଁ ଉଦ୍ୟମ କରାଯିବ। ଏହି ତଥ୍ୟ ନେଇ ସରକାର କେବଳ ମାତ୍ର ବ୍ୟବସାୟିକ ବ୍ୟବହାର କରିପାରିବେ। ଅନ୍ୟପଟେ ବିହାର ରାଜ୍ୟ ସରକାର ଏକ ଭିନ୍ନ ଦିଗକୁ ମୁହଁାଇଛନ୍ତି। ରାଜନୀତିରେ କେବଳ ହିନ୍ଦୁ-ମୁସଲମାନ ବିଭାଜନ ହୋଇଗଲେ ଉତ୍ତର ଭାରତ ଓ ହିନ୍ଦୀଭାଷୀ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ସେଥିପାଇଁ ହୁଏତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଜାତିଗତ ଜନଗଣନା କରାଇବାକୁ ଘୋଷଣା କଲେଣି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ନେଇ ଜନଗଣନା କରାଇବା ସକାଶେ ନୀତୀଶଙ୍କ ଏହି ନିଷ୍ପତ୍ତି ସହଯୋଗୀ ଭାଜପା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ଦେଖିବାକୁ ଗଲେ ଦେଶର ସବୁ ଶାସକ ସାମାଜିକ ବିଭାଜନ ସୃଷ୍ଟି କରି ବିଦ୍ୱେଷ ବଢ଼ାଇବାରେ ଲାଗିପଡ଼ିଛନ୍ତି। ୨୦୧୬ ମସିହାର ବିମୁଦ୍ରୀକରଣ ମାଧ୍ୟମରେ ଗରିବ ଓ ଧନୀଙ୍କ ମଧ୍ୟରେ ତାରତମ୍ୟ ବଢ଼ାଇ ରାଜନୈତିକ ଲାଭ ଉଠାଯାଇଥିଲା। ୨୦୧୫ ସେପ୍ଟେମ୍ବର ୨୮ରେ ଉତ୍ତର ପ୍ରଦେଶର ଦାଦ୍ରିରେ ମହମ୍ମଦ ଅକ୍‌ଲାଖ୍‌ଙ୍କୁ ପିଟି ହତ୍ୟା କରିବା ଭଳି ହିଂସାମତ୍କ ଘଟଣା ଘଟାଇ ଲଗାତର ଭାବେ ହିନ୍ଦୁ ଓ ମୁସଲମାନଙ୍କ ଦୂରତାକୁ ବୃଦ୍ଧି କରାଯାଉଛି। ଯେହେତୁ ଧର୍ମୀୟ ବିଭେଦରେ କେବଳ ଭାଜପା ଫାଇଦା ଉଠାଇପାରୁଛି, ସେଥିପାଇଁ ନୀତୀଶଙ୍କ ଭଳି ନେତା ଜାତି ଆଧାରରେ ଜନଗଣନା କରାଇବାକୁ ଉଦ୍ୟମ ଚଳାଇଛନ୍ତି। ୨୦୨୪ରେ ଦେଶରେ ଲୋକ ସଭା ନିର୍ବାଚନ ଓ ଏହାର ବର୍ଷକ ପରେ ବିହାରରେ ବିଧାନସଭା ଭୋଟ ହେବାକୁ ଥିବାବେଳେ ୨୦୨୩ ଫେବୃୟାରୀ ସୁଦ୍ଧା ନିଜସ୍ବ ପାଣ୍ଠିରେ ଜାତିଭିତ୍ତିକ ଜନଗଣନା ଶେଷ କରିବାକୁ ନୀତୀଶଙ୍କ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଭାଜପା କେବଳ ଉଚ୍ଚ ଜାତିର ହିନ୍ଦୁମାନଙ୍କୁ ଗୁରୁତ୍ୱ ଦେଉଥିବାରୁ ଆଞ୍ଚଳିକ ଦଳଗୁଡ଼ିକ ନିଜକୁ ସୁହାଇଲା ଭଳି ଜାତିଭିତ୍ତିକ ଜନଗଣନା କରାଇବାକୁ ଚାହୁଁଛନ୍ତି।
ଉତ୍ତର ଭାରତ ତଥା ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ ଜାତିପ୍ରଥାର ପ୍ରାଧାନ୍ୟ ଓ ଜାତି ଆଧାରିତ ରାଜନୀତିର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଉଚ୍ଚ ଜାତିର ଲୋକେ ନିଜକୁ ଆର୍ଯ୍ୟ ବିବେଚନା କରି ନିମ୍ନ ବର୍ଣ୍ଣ ଓ ସଂଖ୍ୟାଲଘୁ ଲୋକଙ୍କୁ ନିର୍ଯାତନା ଦେଉଥିବାର ଅନେକ ଘଟଣା ଘଟିଚାଲିଛି। ନିର୍ବାଚନ ବେଳେ ଦଳୀୟ ଟିକେଟ ବଣ୍ଟନ ହେଉ କି ସରକାରୀ ନିଯୁକ୍ତି, ସବୁଠି ଜାତିକୁ ଆଧାର କରାଯାଇଥାଏ। ତେଣୁ ସବୁ ଜାତିକୁ ନେଇ ଜନଗଣନା କରାଗଲେ ବିଭିନ୍ନ ସାମାଜିକ ଗୋଷ୍ଠୀଙ୍କ ପାଇଁ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରିବାରେ ସୁବିଧା ହେବ ଏବଂ ଯାହାଙ୍କ ପାଇଁ ଯେଉଁ ଯୋଜନା ଉଦ୍ଦିଷ୍ଟ ତାହାର ଲାଭ ସମ୍ପୃକ୍ତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚତ୍ପାରିବ ବୋଲି ନୀତୀଶ ସରକାର ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷେ ଭାଜପା ଜାତିଭିତ୍ତିକ ଜନଗଣନାକୁ ହିନ୍ଦୁ ଏକତା ବିରୋଧୀ ବିବେଚନା କରି ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ଆରମ୍ଭରୁ ବିରୋଧ କରିଆସିଛି। ଜାତି ଆଧାରରେ ମୁଣ୍ଡ ଗଣତି କରାଇବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି ବୋଲି ୨୦୨୧ ଜୁଲାଇ ୨୦ରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକ ସଭାରେ ସ୍ପଷ୍ଟ କରିଥିଲେ। ଗତ ଜୁନ୍‌ ୧ରେ ବିହାର ସଚିବାଳୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ଭାଜପା ବିରୋଧ କରିପାରି ନ ଥିଲା। କିନ୍ତୁ ଭାରତୀୟ ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏପରି ଜନଗଣନା କରାଇବା ଅଧିକାର କେବଳ କେନ୍ଦ୍ର ସରକାରଙ୍କର ରହିଛି ବୋଲି ଭାଜପା ପକ୍ଷରୁ ପରେ କୁହାଯାଇଥିଲା। ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ଉତ୍ତରପ୍ରଦେଶରେ ଗୈରିକ ଦଳ ଧ୍ରୁବୀକରଣ ରାଜନୀତି ଚଳାଇଥିବାବେଳେ ଏବେ ନୀତୀଶ ଜାତିଭିତ୍ତିକ ଜନଗଣନାକୁ ଅସ୍ତ୍ର କରି ଏକ ଭିନ୍ନ ସନ୍ଦେଶ ଦେଇଛନ୍ତି।
ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାଜପା ସହ ନୀତୀଶଙ୍କ ମତଭେଦ ଦେଖିବାକୁ ମିଳିଛି। ତେଣୁ ନୀତୀଶଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) କୌଣସି ସମୟରେ ଭାଜପାକୁ ଛାଡ଼ି ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସହ ପୁନର୍ବାର ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି। ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ଆଗକୁ ବଢ଼ାଇବାରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ବଡ଼ ଭୂମିକା ଥିବାରୁ ଏଠି ଆଉ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ। ଜେଡିୟୁ ନେତା ରାମଚନ୍ଦ୍ର ପ୍ରସାଦ ସିଂଙ୍କ ରାଜ୍ୟ ସଭା ସଦସ୍ୟତା ଜୁଲାଇ ୬ରେ ଶେଷ ହେବ। ଦଳୀୟ କୋଟାରୁ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ହୋଇଥିବା ଆର୍‌ସିପି ସିଂଙ୍କ ଟିକେଟ କାଟି ମେ’ ୨୯ରେ ଦଳର ଝାଡ଼ଖଣ୍ଡ ସଭାପତି କ୍ଷୀରୋ ମହତୋଙ୍କୁ ନୀତୀଶ ରାଜ୍ୟ ସଭା ପ୍ରାର୍ଥୀ କରାଇଛନ୍ତି। ଉଭୟଙ୍କ ମଧ୍ୟରେ ତିକ୍ତତା କେତେ ବଢ଼ିଯାଇଛି ତାହା ଆର୍‌ସିପି ସିଂଙ୍କ ଟୁଇଟର ଆକାଉଣ୍ଟକୁ ଦେଖିଲେ ବୁଝାପଡ଼େ। ଟିକେଟରୁ ବଞ୍ଚତ୍ତ ହେବା ପରେ ଆର୍‌ସିପି ସିଂ କହିଛନ୍ତି, ତାଙ୍କ ଭାଗ୍ୟ ଓ ଭବିଷ୍ୟତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେବେ। ତେଣୁ ଜାତିଭିତ୍ତିକ ଜନଗଣନା ବାହାନାରେ ନୀତୀଶ କୁମାର ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି।

ଯେହେତୁ ଧର୍ମୀୟ ବିଭେଦରେ କେବଳ ଭାଜପା ଫାଇଦା ଉଠାଇପାରୁଛି, ସେଥିପାଇଁ ନୀତୀଶଙ୍କ ଭଳି ନେତା ଜାତି ଆଧାରରେ ଜନଗଣନା କରାଇବାକୁ ଉଦ୍ୟମ ଚଳାଇଛନ୍ତି। ୨୦୨୪ରେ ଦେଶରେ ଲୋକ ସଭା ନିର୍ବାଚନ ଓ ଏହାର ବର୍ଷକ ପରେ ବିହାରରେ ବିଧାନସଭା ଭୋଟ ହେବାକୁ ଥିବାବେଳେ ୨୦୨୩ ଫେବୃୟାରୀ ସୁଦ୍ଧା ନିଜସ୍ବ ପାଣ୍ଠିରେ ଜାତିଭିତ୍ତିକ ଜନଗଣନା ଶେଷ କରିବାକୁ ନୀତୀଶଙ୍କ କ୍ୟାବିନେଟ ମଞ୍ଜୁରୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri