ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନୀତିନ୍‌ ସାଧାରଣ ଯାତ୍ରୀବାହୀ ବିମାନରେ ରବିବାର ସାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ତାଙ୍କୁ ସ୍ୱାଗତକରିବା ଲାଗି ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ରହିବେ। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ‘କୋର୍‌ କମିଟି ବୈଠକ’ରେ ନୀତିନ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଦଳର ସାଙ୍ଗଠନିକ ସ୍ଥିତି, ବିଭିନ୍ନ ବୋର୍ଡ ଏବଂ ନିଗମରେ ଦଳୀୟ ନେତାମାନଙ୍କୁ ମିଳିବାକୁ ଥିବା ନିଯୁକ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଷୟରେ ଆଲୋଚନା ହେବା ଯଥେଷ୍ଟ ସମ୍ଭାବନା ରହିଛି। ଭାଜପା ସରକାରଙ୍କ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ତାଙ୍କର ଚର୍ଚ୍ଚା ଓ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। ଜୁନ୍‌ ୧୨ରେ ଭାଜପା ସରକାରଙ୍କ ୨ ବର୍ଷ ପୂର୍ତ୍ତି ପୂରଣ ହେଉଛି। ଏହା ପୂର୍ୱରୁ ନୀତିନ୍‌ଙ୍କ ଓଡ଼ିଶା ଗସ୍ତ ଅବସରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶାସକ ଦଳ ଭିତରେ ଚର୍ଚ୍ଚା ଜୋର୍‌ ଧରିଛି। କୋର୍‌ କମିଟି ବୈଠକ ଶେଷ କରିବା ପରେ ସେ ଖୋର୍ଦ୍ଧା ଜିଲା ଜଟଣୀ ସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ହେଲ୍‌ଥ(ଏଆଇପିଏଚ୍‌) ବିଶ୍ୱବିଦ୍ୟାଳୟ ପରିସରରେ ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲା ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ପଣ୍ଡିତ ଦୀନ୍‌ଦୟାଲ ପ୍ରଶିକ୍ଷଣ ମହା ଅଭିଯାନ-୨୦୨୬ ଶିବିରର ଉଦ୍‌ଘାଟନ କରିବେ। ଏହାପରେ ସେ ପୁରୀ ଅଭିମୁଖେ ଗସ୍ତକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକରି ମହାପ୍ରସାଦ ସେବନ କରିବେ ବୋଲି ଭାଜପା ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁଦୀପ୍ତ ଆହୁରି କହିଛନ୍ତି, ପୁରୀରୁ ଫେରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତିମାନଙ୍କୁ ନେଇ ଆୟୋଜିତ ବୈଠକରେ ସାମିଲ ହେବେ। ଏହାପରେ ସେ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେଇ ସମସ୍ତଙ୍କ ସହ ଭେଟଘାଟ କରିବା ସହିତ ବିଭିନ୍ନ ବିଷୟରେ ଚର୍ଚ୍ଚା ଓ ଆଲୋଚନା କରିବେ। ସାରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି। ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।

Share