ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ। ମହାଦେଶୀୟ କ୍ରୀଡ଼ା ଇଭେଣ୍ଟରେ ତାଙ୍କୁ ଅନ୍ୟତମ ସଫଳ ଆଥଲେଟ୍ ଭାବେ ବିବେଚନା କରାଯାଉଛି। ସେ ଦୁଇଟି ସ୍ବର୍ଣ୍ଣ ଏବଂ ଗୋଟିଏ ଟିମ୍ ରୌପ୍ୟ ଜିତିଛନ୍ତି।
ଏହି ୨୭ବର୍ଷୀୟା କାଇନାନ୍ ଚେନାଇଙ୍କ ସହ ଟ୍ରାପ୍ ମିକ୍ସଡ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବାର ଦିନକ ପରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଶନିବାର ସକାଳେ ସେ ନାଗୋୟା ଫେରିଯିବେ ଏବଂ ଉଦ୍ଯାପନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେବେ।
ଡେପୁଟି ଚିଫ୍ ଡି’ ମିଶନ ଅଞ୍ଜଳୀ ଭଗବତ ଶୁକ୍ରବାର ଏକଥା ପ୍ରକାଶ କରିଛନ୍ତି। ପୁରୁଷ ପତାକା ବାହକ କିଏ ହେବ ସେ ସମ୍ପର୍କରେ ଶନିବାର ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରଥମ ଭାଗରେ ନୀରୁ ଲୋନାଟୋଠାରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ମହିଳା ଟ୍ରାପ୍ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ।