ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ପାଥେୟ ପୂର୍ବକ ଗରିବର ମୂଳ ଉତ୍ପାଟନର ପ୍ରଚେଷ୍ଟା ନିରନ୍ତର ଚାଲିଛି। ଯଦିଓ ସରକାରୀ କାଗଜ କଲମ, ଗ୍ରାଫ୍‌ରେ ତଳମୁହଁା ଦର୍ଶା ଯାଇଛି କିନ୍ତୁ ବାସ୍ତବ ଚିତ୍ରର ରୂପରେଖ ଅନେକ ସନ୍ଦେହରେ ରହିଛି। ବର୍ତ୍ତମାନ ସୁଦ୍ଧା ଗରିବଙ୍କ ଭୂମିହୀନ, ଖାଦ୍ୟ ସଙ୍କଟ, ବସ୍ତ୍ର ବିହୀନ ଜୀବନ କାହାଣୀ, ଚାଳଛପର, ଚିରା ପାଲ, ଭଙ୍ଗା କାନ୍ଥର ପ୍ରତିଛବି ଗଣମାଧ୍ୟମଠାରୁ ଆରମ୍ଭ କରି ଲୋକ ମୁଖରେ ତୁଣ୍ଡ ବାଇଦ ହୋଇ ଘୂରି ବୁଲୁଛି। ନୀତି ଆୟୋଗର ସର୍ଭେ ଦର୍ଶାଉଛି ଯେ ଦେଶରେ ଦରିଦ୍ର ହାର ୨୯.୩୫%ରୁ ୧୫.୬୮ରେ ପହଞ୍ଚି ସାରିଛି। ଗ୍ରାମାଞ୍ଚଳରେ ଦରିଦ୍ର ହାର ୧୭.୭୨% ବସବାସ କରୁଥିବା ବେଳେ ସହର ମଧ୍ୟରେ ୫.୪୨% ଦରିଦ୍ର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହୁଛନ୍ତି। ଏହାର କାରଣ ଅସ୍ପଷ୍ଟ ଏବଂ ନିରାକରଣ ରାସ୍ତା ଦିଗହରା। କେବଳ ଶିକ୍ଷା, ସ୍ବାସ୍ଥ୍ୟ ଓ ଅଜ୍ଞାନତାକୁ ଜୋର ଜବରଦସ୍ତ କାରଣ ଦର୍ଶା ଯାଇଛି। ଗରିବ କୌଣସି ଏକ ଜାତି, ଶ୍ରେଣୀ, ସମ୍ପ୍ରଦାୟର ମଣିଷ ନୁହନ୍ତି। ନିଜ ଭିଟାମାଟି, ସ୍ବାଭିମାନ, ସତ୍ୟ ନ୍ୟାୟ ଏବଂ ମାନବିକ ଧର୍ମ ଜାବୁଡ଼ି ଧରି ନିଃସହାୟ, ଅସହାୟ ଅବସ୍ଥାରେ ରହିଥିବା ଗୋଟିଏ ଗୋଟିଏ ମଣିଷ। ମୌଳିକ ସମସ୍ୟାରେ ଥାଇ ମଧ୍ୟ ପରମ୍ପରାଗତ କୌଳିକ ବୃତ୍ତିକୁ ଆପଣେଇ ପଡ଼ିରହିଥିବା ଲୋକଙ୍କୁ ବିଶ୍ୱବାସୀ ଗରିବର ସଂଜ୍ଞା ଦେଇଛନ୍ତି।
ଗରିବ ଏକ ରାଜନୀତି ଖୋରାକ ହୋଇଯାଇଛି କହିଲେ ଭୁଲ୍‌ ହୋଇଯିବ ନାହିଁ। ଗରିବ ଉପରେ ସେମାନଙ୍କ ଜୀବନ ଜୀବିକା ନିର୍ବାହ ହେଉଛି। ଭାରତ, ସ୍ବାଧୀନତାର ସ୍ବାଦ ଚାଖିବାଠାରୁ ଗରିବ ହଟାଓ ସ୍ଲୋଗାନ ଗୁଞ୍ଜରିତ ହେବା ଶୁଣୁଛି। ଗରିବ ମୁକ୍ତ ଭାରତ ନାରାରେ ଅନେକ ନେତା ନିର୍ବାଚନ ନଦୀ ଅତିକ୍ରମ କରିଛନ୍ତି, କିନ୍ତୁ କେତେ ଗରିବ ହଟିଛି, କେତେ କମିଛି ଅଥବା ବଢ଼ିଛି ତାହାର ମଧ୍ୟ ହିସାବ କେହି ପାଉ ନାହାନ୍ତି। ସହରରେ ଆକାଶଶ୍ଚୁମ୍ବି ଅଟ୍ଟାଳିକା ଗରିବ କମିବାର ଚିତ୍ର ଆଙ୍କୁଥିବା ବେଳେ ଗାଁ ଦଦରା ଭଙ୍ଗା ଘର ଗରିବର ଅସ୍ତିତ୍ୱ ଥିବା ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରୁଛି। ଦାଦନମୁହଁା ନିରୀହ ଆଖି ଦୁଇଟାରୁ ପଢ଼ି ହୋଇଯାଉଛି ଗୋଟିଏ ପରିବାରର ଆର୍ଥିକ ମାନଦଣ୍ଡ କେତେ ସ୍ବଚ୍ଛଳ। ଗରିବ ମୁକ୍ତ ଭାରତ ନାରାରେ ସରକାର ବଦଳି ଯାଉଛି। ମୁଠେ ଚାଉଳ, ଖଣ୍ଡେ ଛତା, କିଛି ଭତ୍ତା, ଗଣ୍ଡେ ଶୁଖିଲା ପ୍ରଶଂସା ଏବଂ ଶହେ ମିଥ୍ୟା ପ୍ରତିଶ୍ରୁତି ବଦଳରେ ଭୋଟବୁହା ଚାଲିଛି। ପ୍ରତିପକ୍ଷର ବୁକୁଫଟା ଚିତ୍କାର, ଟୁକୁରା ଟୁକୁରା କାଗଜ ଫିଙ୍ଗା, ହୋ ହଲ୍ଲା, ଅନଶନ, ଧାରଣାକୁ ଅଣଦେଖା କରି ଉପହାସ ପୂର୍ବକ ଫୁ କରି ପାଞ୍ଚ ବର୍ଷ ଅପେକ୍ଷା କରାଇ ଦେଉଛନ୍ତି ଶାସକ ଗୋଷ୍ଠୀ। ଯେମିତି ଥିଲା ରାଜ୍ୟ ଆଜି ସେମିତି ଅଛି କିନ୍ତୁ ଗରିବ, ଅସହାୟ, ଦିନ ମଜୁରିଆଙ୍କ ତତଲା ଲୁହ ସ୍ରୋତରେ ନିର୍ବାଚନ ନଦୀରେ କୂଳ ଧରି ନ ପାରି ଉବୁଟୁବୁ ହେଉଛନ୍ତି କିଛି ଦଳ ଓ ବଳ । ଗରିବ ପରିବାରର ମୁଣ୍ଡ ଗୁଞ୍ଜିବାକୁ ମୁଣ୍ଡ ଉପରେ ଛାତ ଟିଏ ନାହିଁ କି ଗୋଡ଼ ତଳେ ପାଦ ରଖିବାକୁ ପାଦେ ଶୁଖିଲା ମାଟି ନାହିଁ। ତଥାପି ନେତା, ମନ୍ତ୍ରୀ ମାଇକି, ମଞ୍ଚ ଛାଡ଼ିବାକୁ ନାରାଜ। ପିଠି ଥାପୁଡ଼େଇ କଅଁଳ କଥା କହି ପୁଳା ପୁଳା ମାଂସ ଝୁଣି ଖାଇବାର ଅଭ୍ୟାସ ସେମାନଙ୍କୁ ନିଷ୍ଠୁର ଓ ଅମାନୁଷିକ କରି ଦେଇଛି। ଗରିବ ନଁାରେ ଅର୍ଥ ଲୁଟ। ଆବାସ ଲୁଟ। ଚାଷ ଋଣ, ବାସ ଋଣ ଏବଂ ଆର୍ଥିକ ସ୍ଥିତି ସୁଧାରିବା ନଁାରେ ଛେଳି, ମେଣ୍ଢା, କୁକୁଡ଼ା ଋଣ ଯୋଗାଇ ଦେବା ଛଳରେ ଆଗୁଆ ପିସି କାରବାରରେ ଲିପ୍ତ ବହୁ ବୁଦ୍ଧିଜୀବୀ। ସରକାରୀ ପ୍ରୋତ୍ସାହନ ଅଧା ବାଟରୁ ବାଟମାରଣା ହେଉଛି। କାରଣ ନିର୍ମୂଳିଲତାର ଚେର ବଡ଼ ବିଚିତ୍ର ଏବଂ ଅଦୃଶ୍ୟ। ଆଶ୍ରୟ ମାଗି ଆକ୍ରମଣ କରିଥାଏ।
ସକାରାତ୍ମକ ସମ୍ଭାବନାକୁ ଦୃଷ୍ଟି ନିକ୍ଷେପ କରି ଗରିବ ସମାଜ,ସ୍ବର ଉତ୍ତୋଳନ କରିବାକୁ ପଡିବ। ନିଷ୍ପେଷିତ ସମାଜ, ଆଜିର ସାମାଜିକ ବ୍ୟବସ୍ଥାର ଅଭିସନ୍ଧିକୁ ବୁଝିବାକୁ ହେବ। ନିଜ ପାଇଁ ନିଜେ, ନ୍ୟାୟରେ ଅବିଶ୍ୱାସୀ ଲୋକଙ୍କ ବିଷ ବିଶ୍ୱାସର ଚକ୍ରବୂ୍ୟହ ମଧ୍ୟରୁ ନିଜକୁ ମୁକୁଳାଇ ସ୍ବାଧୀନ ଆଚାର ବିଚାରରେ ବଢ଼ିବାକୁ ହେବ। ଅନ୍ୟର ପାଦକୁ ପିଠି ଉପରେ ଧରି ତୁଠ ପଥର ହେବା ଅପେକ୍ଷା ଭସା ପଥର ପରି କୂଳ ପରିବର୍ତ୍ତନ କରିପାରିଲେ ଅନ୍ୟଙ୍କ ସମାସ୍କନ୍ଦ ହେବ ଏବଂ ସମ୍ମାନର ସହିତ ଦିନଚର୍ଯ୍ୟା କରିପାରିବ। ଉଠ ଜାଗ୍ରତ ହୁଅ। ନିର୍ମୂଳୀ ଲତାର ଚେରଠାରୁ ଦୂରରେ ରହିବାକୁ ଚେଷ୍ଟା କର। କାରଣ ନିର୍ମୂଳୀ ଲତା କୌଣସି ଗଛକୁ ଉଧେବାକୁ ଦିଏ ନାହିଁ।

ଜଗନ୍ନାଥ ବେହେରା
ଗାୟତ୍ରୀ ନଗର, ନବରଙ୍ଗପୁର

ମୋ:୯୪୩୭୭୮୫୧୫୮

 

Dharitri – Odisha’s No.1 Odia Daily