ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ୱାଣ୍ଟେଡ ଥିବା ଅଭିଯୁକ୍ତ ସନ୍ଦୀପ ମିସ୍ତ୍ରୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରୁ ଭାରତ ଅଣାଯାଇଛି। CBI, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏବଂ ଗୃହ ମନ୍ତ୍ରଣାଳୟ (MHA) ର ମିଳିତ ଉଦ୍ୟମରେ ତାଙ୍କର ପ୍ରତ୍ୟାର୍ପଣ (Deportation) ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି।
CBI ର ସୂଚନା ଅନୁଯାୟୀ, ସନ୍ଦୀପ ମିସ୍ତ୍ରୀ ଜାଲ ଇଣ୍ଟରନ୍ୟାଶନାଲ ଟ୍ରେଡ୍ ଟ୍ରାନ୍ସଜାକ୍ସନ୍ ମାଧ୍ୟମରେ ହୋଇଥିବା ବ୍ୟାଙ୍କ ଠକେଇରେ ଜଡ଼ିତ ଥିଲେ। ଏହି ପୂରା ନେଟୱର୍କରେ ବିଭିନ୍ନ କମ୍ପାନୀଗୁଡ଼ିକ ମଧ୍ୟରେ ସେ ଏକ ପ୍ରମୁଖ ସଂଯୋଗ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେଗୁଡ଼ିକର ଦୈନନ୍ଦିନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲେ। ଯେମିତିକି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଲୁଚାଇବା ପାଇଁ ସୱୟଂ-ଡିଲିଟ ହେଉଥିବା କମ୍ୟୁନିକେସନ ପ୍ଲାଟଫର୍ମ ବ୍ୟବହାର କରିବା, ହୀରା, ସୁନା ଓ ମୋତି ଅଳଙ୍କାରର ଜାଲ ଆମଦାନୀ-ରପ୍ତାନି କାଗଜପତ୍ର ପ୍ରସ୍ତୁତ କରିବା ଭଳି ଗୁରୁତର ଅଭିଯୋଗ ରହିଛି।
ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନେ ବିଦେଶୀ ଡମି କମ୍ପାନୀଗୁଡ଼ିକର ଡାଇରେକ୍ଟରମାନଙ୍କୁ ଗିରଫଦାରୀର ଧମକ ଦେଇ, ସେମାନଙ୍କ ଇଲେକ୍ଟ୍ରୋନିକ୍ସ ଡିଭାଇସ ଜବତ କରି ଏବଂ ସେମାନଙ୍କୁ ଅନ୍ୟତ୍ର ନେଇ ଜୋରଜବରଦସ୍ତ କାଗଜପତ୍ରରେ ଦସ୍ତଖତ କରାଉଥିଲେ। UAE ରେ ଥିବା ଡମି କମ୍ପାନୀଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଅନ୍ୟତ୍ର ପଠାଇବାରେ ସନ୍ଦୀପଙ୍କ ମୁଖ୍ୟ ଭୂମିକା ଥିଲା। ଏହି ମାମଲାରେ CBI ପୂର୍ବରୁ ହିଁ ଆଦାଲତରେ ଚାର୍ଜସିଟ ଦାଖଲ କରିସାରିଛି।
CBI ର ଅନୁରୋଧ କ୍ରମେ ଇଣ୍ଟରପୋଲ ଚ୍ୟାନେଲ ମାଧ୍ୟମରେ ଜୁଲାଇ ୨୦୨୬ରେ ସନ୍ଦୀପ ମିସ୍ତ୍ରୀଙ୍କ ବିରୋଧରେ ‘ରେଡ୍ ନୋଟିସ’ ଜାରି କରାଯାଇଥିଲା। UAE କର୍ତ୍ତୃପକ୍ଷଙ୍କ ସହାୟତାରେ ତାଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା। ରେଡ୍ ନୋଟିସ ଜାରି ହେବାର ମାତ୍ର ଦୁଇ ମାସ ମଧ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଭାରତ ଆଣିବାରେ ମିଳିଥିବା ଏହି ସଫଳତାକୁ ଭାରତୀୟ ଏବଂ ବିଦେଶୀ ସଂସ୍ଥାଗୁଡ଼ିକ ମଧ୍ୟରେ ଦ୍ରୁତ ଆନ୍ତର୍ଜାତୀୟ ସମନ୍ବୟର ଏକ ଉତ୍କୃଷ୍ଟ ଉଦାହରଣ ଭାବେ CBI ବର୍ଣ୍ଣନା କରିଛି।
ସନ୍ଦୀପ ମିସ୍ତ୍ରୀ ୨୮ ସେପ୍ଟେମ୍ବର ରାତି ୧୧:୫୫ ରେ ମୁମ୍ବାଇ ପହଞ୍ଚିବା ପରେ CBI ର BSFB ମୁମ୍ବାଇ ଟିମ ତାଙ୍କୁ ନିଜ ହାଜତକୁ ନେଇଥିଲା। ପରବର୍ତ୍ତୀ ସମୟରେ ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ଜେଲ କଷ୍ଟଡି (ନ୍ୟାୟିକ ହାଜତ) କୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, CBI ଭାରତରେ ଇଣ୍ଟରପୋଲ ପାଇଁ ନେସନାଲ ସେଣ୍ଟ୍ରାଲ ବ୍ୟୁରୋ ଭାବେ କାର୍ଯ୍ୟ କରେ। ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରପୋଲ ସହାୟତାରେ CBI ୧୭୫ ରୁ ଅଧିକ ୱାଣ୍ଟେଡ ଅପରାଧୀଙ୍କୁ ବିଦେଶରୁ ଭାରତ ଫେରାଇ ଆଣିବାରେ ସଫଳ ହୋଇଛି।
Dharitri – Odisha’s No.1 Odia Daily