ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ ହେଉଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ନାହିଁ। ନିଜେ ଗୋପାଳନ କରିବା ସହ ଅନ୍ୟର ଗାଈ ବଳଦ, ଛେଳି ଚରାଇ ୨ ପଇସା ମିଳିଲେ ସେଥିରେ ନିଜେ ଓ ପରିବାର ଲୋକଙ୍କୁ ବଞ୍ଚାଇ ୨ ଓଳି ୨ ମୁଠା ଖାଇବାକୁ ଦେବା ସହ ନିଜେ ପାଳନ କରୁଥିବା ଗାଈ, ବଳଦ, ଛେଳି ଓ ବାଛୁରୀଙ୍କୁ ଖାଇବାକୁ ଦିଅନ୍ତି। ନିଜେ ଭଙ୍ଗା ଦଦରା ଘରେ ରହିବା ସହ ନିଜ ନିଜ ଗାଈ, ବଳଦ ଏବଂ ଛେଳି କୁ ରଖିବା ପାଇଁ ଭଲ ଘର ଟେ ନାହିଁ ଫଳରେ ଅଧିକାଂଶ ସମୟ ଗାଈ, ବଳଦ ବିଭିନ୍ନ ରୋଗର ଶୀକାର ହୁଅନ୍ତି ଓ ସେଥିପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଯାଏ ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ସିକପାଟା ଗ୍ରାମର ନିରଞ୍ଜନ ପ୍ରଧାନଙ୍କ କ୍ଷେତ୍ରରେ।
ସେ ମୋଟ ୨୦ ଟି ଗାଈ, ବଳଦ ଓ ୧୦ ଟି ଛେଳି ରଖିଛନ୍ତି। ସେମାନଙ୍କୁ ସେ ଆର୍ଥିକ ଅନାଟନ ମଧ୍ୟରେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ଦେଇ ପାରିନାହାନ୍ତି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରି ଶେଷରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନଲାଇନ ଅଭିଯୋଗ ଶୁଣାଣିରେ ଗୁହାରି କରିଛନ୍ତି। ଗୋପାଳନ କରିବାରେ ଅନେକ ଇଚ୍ଛା ରହିଥିଲେ ସୁଦ୍ଧା ତାଙ୍କୁ ସରକାରୀ ଯୋଜନା ନିକଟରେ ପହଞ୍ଚି ପାରୁ ନ ଥିବା ନିରଞ୍ଜନ କହିଛନ୍ତି। ସରକାର ଅତି କମରେ ଗୁହାଳ ଘର ଓ ଛେଳି ଏବଂ ଗୋପାଳନ ପାଇଁ ଆବଶ୍ୟକ ସରଞ୍ଜାମ ଓ ସୁବିଧା ଯୋଗାଇଦେଲେ ସେ ଆହୁରି ଅଧିକା ଛେଳି ଓ ଗୋପାଳନ କରିପାରନ୍ତେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେ ଏବେ ଲୋକଙ୍କ ଗାଈ, ଛେଳି, ବଳଦ ଚରାଇ ମାସିକ ସେ ବାବଦକୁ ଯାହା ଅର୍ଥ ପାଆନ୍ତି,ସେଥିରେ ସେ ପରିବାର ସହ ଅନ୍ୟ ଖର୍ଚ୍ଚରେ ସରିଯାଇଥାଏ। ଛୋଟ ଚାଷ ମଧ୍ୟ କରୁଥିବା ସେ କହିଛନ୍ତି। ଗ୍ରାମର ଜଣେ ଯୁବକ ତଥା ସାମାଜିକ କର୍ମୀ ଅକ୍ଷୟ ପରିଛା ତାଙ୍କୁ ସରକାରଙ୍କ ନିକଟରେ ତାଙ୍କ ଗୁହାରି ପହଞ୍ଚାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ନିରଞ୍ଜନ ଏକମାତ୍ର ରୋଜଗାରିଆ ତାଙ୍କ ଉପରେ ତାଙ୍କ ପୁଅ ବୋହୁ ଓ ସ୍ତ୍ରୀ ର୍ନିଭର କରନ୍ତି।
Dharitri – Odisha’s No.1 Odia Daily


