ଜଣେ ସୁଶ୍ରୀ, ଆଉ ଜଣେ ବାବା

ନିମାପଡ଼ା, ୧୬ା୧(ରଞ୍ଜନ କୁମାର ପଟ୍ଟନାୟକ): ନିର୍ବାଚନ ଯେତେ ପାଖେଇ ଆସୁଛି କିଏ କେଉଁଠାରେ ପ୍ରାର୍ଥୀ ହେଉଛନ୍ତି ତାହା ଜାଣିବା ଲାଗି ଭୋଟରଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଉଛି l ଏହି କ୍ରମରେ ନିମାପଡ଼ା ନିର୍ବାଚନମଣ୍ଡଳୀ କଥା ଦେଖିଲେ ଏବେ ବିଜେଡିରୁ ବିଧାୟକ ଅଛନ୍ତି ସମୀର ରଞ୍ଜନ ଦାଶ। ତାଙ୍କ ସହ ଅନ୍ୟ କେତେଜଣ ବିଜେଡି ଟିକେଟ ପାଇବା ପାଇଁ ଲବିରେ ଥିବା ଚର୍ଚ୍ଚା ହେଉଛି। ଅନୁରୂପ ଭାବେ ଭାଜପା ଓ କଂଗ୍ରେସରେ ଏକାଧିକ ଆଶାୟୀ। ତେବେ କିଛି ଏମିତି ବ୍ୟକ୍ତିତ୍ୱ ବର୍ତ୍ତମାନ ନଜରକୁ ଆସୁଛନ୍ତି, ସେମାନଙ୍କ ପଛରେ ଦଳୀୟ ଷ୍ଟାମ୍ପ ନ ଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କହି ବୁଲିଲେଣି। ସେଥିମଧ୍ୟରୁ ଜଣେ ସୁଶ୍ରୀ ଥିବା ବେଳେ ଆଉ ଜଣେ ବାବା ଉଭା ହୋଇଛନ୍ତି।
ଓଡ଼ିଶାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପ୍ରାଣକୃଷ୍ଣ ନାୟକଙ୍କ ଝିଅ ସୁଶ୍ରୀ ରୋଜାଲିନ ନାୟକ କୌଣସି ଦଳୀୟ ଟିକେଟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିବା ବେଳେ ଅନ୍ୟଜଣକ ସିଦ୍ଧ ମହାବୀର ସାଧକ ଭାବେ ପରିଚିତ ବାବା ଅରୁଣ ସାହୁ ଦଳରେ ବିଶ୍ୱାସ ନ କରି ସ୍ବାଧୀନ ଲଢ଼ିବେ ବୋଲି କହୁଛନ୍ତି ।
ଉଭୟେ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼। ରୋଜାଲିନ ଉଚ୍ଚଶିକ୍ଷିତା ଓ ପାଇଲଟ ଟ୍ରେନିଂ ନେଇଥିଲେ ମଧ୍ୟ ରାଜନୀତିରେ କ୍ୟାରିୟର କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ନିମାପଡ଼ା ଅଞ୍ଚଳରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନନ୍ଦିଘୋଷ ଫାଉଣ୍ଡେଶନ’ ସହଯୋଗରେ ଅସହାୟଙ୍କୁ ସହାୟତା କରୁଥିବା ଦେଖିବାକୁ ମିଳୁଛି l ସମସ୍ତ ପ୍ରକାର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜନସାଧାରଣଙ୍କ ନିକଟତର ହେବାର ସୁଯୋଗକୁ ସେ ହାତଛଡ଼ା କରୁନାହାନ୍ତି। ପୁଣି ଆଲୋଚନା ହେଉଛି ସୁଶ୍ରୀ ରୋଜାଲିନ ଉଭୟ ଭାଜପା ଏବଂ ବିଜେଡି ସହିତ ସମାନ୍ତରାଳ ସମ୍ପର୍କରେ ରହିଛନ୍ତି l ଯେଉଁଠୁ ସୁଯୋଗ ମିଳିବ ସେଥିରୁ ସେ ପ୍ରାର୍ଥୀ ହେବେ ବୋଲି ତାଙ୍କ ସହ ବୁଲୁଥିବା ବ୍ୟକ୍ତିମାନେ କହୁଛନ୍ତି।
ଅରୁଣ ସାହୁ ନୂଆକରି ରାଜନୀତିରେ ପାଦ ଥାପୁଛନ୍ତି । ଅନ୍ୟ ଆଶାୟୀମାନେ ଅଭିନନ୍ଦନ, ବଡ଼ବଡ଼ ତୋରଣ ଲଗାଇ ନିଜକୁ ପ୍ରୋଜେକ୍ଟ କରୁଥିବା ବେଳେ ତାଙ୍କ ପ୍ରଚାର ଶୈଳୀ ଅନ୍ୟମାନଙ୍କ ଠାରୁ ଅଲଗା । ଗାଁଗଣ୍ଡାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜନସାଧାରଣଙ୍କ ନିକଟତର ହେବାକୁ ସେ ପ୍ରଚେଷ୍ଟା କରୁଛନ୍ତି। ଆସନ୍ତା ୨୨ ତାରିଖରୁ ଆଧ୍ୟାତ୍ମିକ ପରିକ୍ରମା ମାଧ୍ୟମରେ ସେ ନିର୍ବାଚନମଣ୍ଡଳୀ ବୁଲିବେ ବୋଲି ସୂଚନା ଦେଲେଣି। ଉଦ୍ଦେଶ୍ୟ ହେଉଛି ନିଜ ଗ୍ରାମରେ ପ୍ରଭୁ ରାମଙ୍କ ମନ୍ଦିର ପ୍ରତିଷ୍ଠା କରିବା ସହିତ ଜନସାଧାରଣଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା । ବାବା ଅରୁଣ କୌଣସି ରାଜନୈତିକ ଦଳରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସିଧାସଳଖ କହୁଛନ୍ତି । ସ୍ବାଧୀନ ଭାବେ ଲଢ଼ିବେ l କାରଣ ସ୍ବାର୍ଥ ନ୍ବେଷୀ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସେ ରାଜନୀତି କରିବେ ବୋଲି କହୁଛନ୍ତି ।