ଦାରିଙ୍ଗବାଡ଼ିରେ ଶୀତ ସାଙ୍ଗକୁ ବଢୁଛି ସାଂଗଠନିକ ବୈଠକର ମାହୋଲ: ଅନୁଷ୍ଠିତ ହେଲା ମଧୁ ବୈଶ୍ୟ ସମାଜର ଘୁମୁସର ତାଳୁକା ବୈଠକ

ଦାରିଙ୍ଗବାଡ଼ି, ୧୪।୧୧(ଅରୁଣ ସାହୁ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଏବେ ଶୀତର ଲହରୀ ଜାରି ରହିଛି। ଶୀତୁଆ ପାଗର ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମୁଥିବା ବେଳେ, ଏବେ ବିଭିନ୍ନ ସଂଗଠନ ମଧ୍ୟ ଏଠାରେ ନିଜର ବୈଠକ ଓ ସମ୍ମିଳନୀ ଆୟୋଜନ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି କ୍ରମରେ ଶନିବାର ଦିନ ‘ନିଖିଳ ଉତ୍କଳ ମଧୁ ବୈଶ୍ୟ ସମାଜ’ ଘୁମୁସର ତାଳୁକା ଶାଖା (ଭଞ୍ଜନଗର, ଗଞ୍ଜାମ) ପକ୍ଷରୁ ଦାରିଙ୍ଗବାଡ଼ିସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣ କଲ୍ୟାଣ ମଣ୍ଡପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲା ବୁଗୁଡ଼ାର ସଭାପତି ନୀଳମାଧବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମାଜର ବିଭିନ୍ନ ନୀତିନିୟମ ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମାଜର ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଗତବର୍ଷର ଆୟବ୍ୟୟ ହିସାବ ଉପସ୍ଥାପନ କରିବା ସହ ବିଭିନ୍ନ ମୁଠା ସଂଗଠନର କାର୍ଯ୍ୟକାରିତା ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ପନ୍ଥା ବାହାର କରିଥିଲେ। ଏଥିସହିତ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଏବଂ ନୂତନ କର୍ମକର୍ତ୍ତା ଚୟନ ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା।

ଏହି ବୈଠକରେ ସମାଜର ଉପସଭାପତି ସନ୍ତୋଷ ସାହୁ, ସହ-ସମ୍ପାଦକ ବଳରାମ ସାହୁ, କୋଷାଧ୍ୟକ୍ଷ ମନୋଜ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ତାଳୁକା ଅନ୍ତର୍ଗତ ବୁଗୁଡ଼ା, ଜଗନ୍ନାଥପ୍ରସାଦ, ଭଞ୍ଜନଗର ଏବଂ ଫୁଲବାଣୀ ଆଦି ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ସଦସ୍ୟ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଦାରିଙ୍ଗବାଡ଼ିର ମନୋରମ ପରିବେଶ ଏବଂ ଶୀତୁଆ ପାଗରେ ଏଭଳି ବୈଠକ କରିବା ସମସ୍ତଙ୍କ ପାଇଁ ଏକ ନୂଆ ଅନୁଭୂତି ଆଣିଦେଇଥିଲା।

Dharitri – Odisha’s No.1 Odia Daily

Share