ଆସନ୍ତା ୧୧ରୁ ନାଇଟ୍‌ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରଖାଯିବ ନଜର: ପୋଲିସ କମିଶନର

ଭୁବନେଶ୍ୱର, ୯।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି। ଏଥିଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି କଟକଣା ରାତି ୮ଟାରୁ ସକାଳୁ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହ ପାର୍ବଣ ବେଳେ ପୋଲିସ ରାଡାରରେ ଅପରାଧୀ ରହିବେ ବୋଲି ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ପୋଲିସ କମିଶନର କହିଛନ୍ତି, ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ। ନିୟମ ଖିଲାପ କଲେ ଅମାନିଆ ଦଣ୍ଡ ଭୋଗିବେ। କିଏ ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି।

ଏଥିସହ ପାର୍ବଣ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଲାଗି କମିଶନରେଟ ପୋଲିସ ଅପରାଧୀଙ୍କ ଉପରେ ନଜର ରଖିବ। ଟୁଇନ୍‌ ସିଟିରେ ପେସାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି ଚେତାବନୀ ଦେଇଛନ୍ତି। କୋଭିଡ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ଆୟୋଜନ କରିବାକୁ ସିପି ପରାମର୍ଶ ଦେଇଛନ୍ତି । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।