୩ ଜିଲାର ଜିଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କଲେ ଏନ୍‌ଏଚ୍‌ଆର୍‌ସି

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲାପାଳଙ୍କୁ ସର୍ତ୍ତମୂଳକ ସମାନ କରି ଏପ୍ରିଲ ୧୦ ତାରିଖ ପୂର୍ବାହ୍ନ ୧୧ଟାରେ କମିଶନ ନିକଟରେ ହାଜର ହେବାକୁ ଆଦେଶ କରିଛନ୍ତି। ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ପ୍ରଦାନ କରାଯାଇଥିବା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ଓ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଧରି ହାଜର ହେବାକୁ କୁହାଯାଇଛି। ମାନବାଧିକର କର୍ମୀ ଓ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ କମିଶନ ନିକଟରେ ଫାଇଲ କରାଯାଇଥିବା ଅଭିଯୋଗକୁ ଭିତ୍ତିକରି କମିଶନ କେସ ନମ୍ବର୍‌ ୧୮୮୪/ ୧୮-୭-୨୦୨୩ ରେ ମାମଲା ରୁଜୁ କରି ଏଭଳି ଆଦେଶ କରାଯାଇଥିବା ଜଣାପଡ଼ିଛି।

ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦେଶରେ ୫୮ ହଜାର ନିରୀହ ଲୋକ ସାପ କାମୁଡାରେ ମୃତ୍ୟୁବରଣ କରିଥାନ୍ତି। ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗର ଅବହେଳା ଯୋଗୁ କେନ୍ଦୁଝର ଜିଲାରେ ଗତ ବର୍ଷ ୩ ଜଣ ଛାତ୍ର ଶୋଇଥିବା ବେଳେ ସାପକାମୁଡ଼ାରେ ମରିଥିଲେ। ଆଣ୍ଟି ଭେନମ୍‌ ଇଞ୍ଜେକ୍ସନ ଅଭାବରୁ ଅନେକ ମୃତ୍ୟୁବରଣ କରୁଛନ୍ତି। ଏ ନେଇ ଅଭିଯୋଗକୁ ଗ୍ରହଣ କରି କମିଶନ ନୋଟିସ୍‌ କରିଥିଲେ। ତେବେ ସିଡିଏମ୍‌ଓ କେନ୍ଦୁଝର ସାପ କାମୁଡ଼ାରେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସୁସ୍ଥ ହୋଇଥିଲେ ବୋଲି ରିପୋର୍ଟ ଦେଇଥିଲେ। ତେବେ ସେମାନଙ୍କ ପରିବାରଙ୍କୁ ସହାୟତା ଅର୍ଥ ପ୍ରଦାନ ହୋଇଛି କି ନାହିଁ ତାହାର ରିପୋର୍ଟ ଜିଲାପାଳ କେନ୍ଦୁଝର ପ୍ରଦାନ କରିନାହାନ୍ତି। ସେହିପରି ମୟୂରଭଞ୍ଜ ଓ ଭଦ୍ରକ ଜିଲାପାଳ ରିପୋର୍ଟ ପ୍ରଦାନ କରି ନ ଥିବାରୁ ଏଭଳି ସର୍ତ୍ତମୂଳକ ସମନ କରାଯାଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।