ଗ୍ୟାସ ଲିକ୍‌ ଘଟଣାରେ ଆର୍‌ଏସ୍‌ପିକୁ ଏନ୍‌ଜିଟିର ନୋଟିସ୍‌

ରାଉରକେଲା ଅଫିସ,୧୨ା୧: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)କୁ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନୋଟିସ୍‌ ଜାରି କରିଛି। ଗ୍ୟାସ ନିର୍ଗତ ହେବା ଯୋଗୁ ପରିବେଶ ପ୍ରଦୂଷଣ ପ୍ରସଙ୍ଗରେ ଏନ୍‌ଜିଟି ନୋଟିସ୍‌ ଜାରିକରି ଆସନ୍ତା ଫେବୃୟାରୀ ୧୧ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ନୋଟିସ ପ୍ରସଙ୍ଗ ପ୍ରଚାରିତ ହେବା ପରେ ଆର୍‌ଏସ୍‌ପି ଭିତରେ ତଥା ସହରରେ ପୁଣି ଚର୍ଚ୍ଚା ଜୋର ଧରିଛି। ରାଉରକେଲା ଇସ୍ପାତ କାରଖାନାର ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ଗ୍ୟାସ ନିର୍ଗତ ହେବାରୁ ଏହାର ସଂସ୍ପର୍ଶରେ ଆସି ୪ ଠିକା ଶ୍ରମିକ ଗତ ୬ ତାରିଖରେ ମୃତ୍ୟୁବରଣ କରିଥିଲେ। ଉକ୍ତ ଘଟଣାଦିନ କାରଖାନା କର୍ତ୍ତୃପକ୍ଷ ୨ଜଣ ଡିଜିଏମ୍‌ଙ୍କୁ ସସ୍‌ପେଣ୍ଡ କରିଥିବା ବେଳେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଘଟଣାର ପରଦିନ ସସ୍‌ପେଣ୍ଟ କରିଥିଲେ। ଏହା ପରେ ଏନ୍‌ଜିଟି ନିଜପଟୁ ମାମଲାର ହସ୍ତକ୍ଷେପ କରିଛନ୍ତି। ଏନ୍‌ଜିଟିଙ୍କ ଏହି ହସ୍ତକ୍ଷେପ ଓ ନୋଟିସ ଜାରିକୁ ବିଭିନ୍ନ ମହଲରୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇଛି।