ଖବରକାଗଜ ବିକ୍ରେତାରୁ ଗବେଷକ

କୋରେଇ,୨୨ା୧୨(ସ୍ବ.ପ୍ର.): କଥାରେ ଅଛି ଇଚ୍ଛା ଥିଲେ ଉପାୟ ଅଛି। ଯାହାର ଜୀବନରେ କିଛି ହେବା ପାଇଁ ଜିଜ୍ଞାସା ଥିବ, ନିଜକୁ ଗଢି ତୋଳିବାର ସଂକଳ୍ପ ଯାହା ମନରେ ଥିବ, ତା ପାଇଁ ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ତା ମଧ୍ୟରେ ଥିବା ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ପାଖରେ ସବୁ କିଛି ହାର ମାନିବ। ଏଭଳି ଏକ ଉଦାହାରଣ ସୃଷ୍ଟି କରିଛନ୍ତି ଯାଜପୁର ଜିଲା କୋରେଇ ବ୍ଲକ କାଚରାସାହି ଗ୍ରାମର ଶୁକଦେବ ସାହୁଙ୍କ ପୁଅ ଚନ୍ଦ୍ରଶେଖର ସାହୁ। ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ପିଏଚ୍‌ଡି ପ୍ରବେଶିକା ପରୀକ୍ଷାରେ ସେ କୃତିତ୍ୱ ଅର୍ଜନ କରିଛନ୍ତି। ଦିନେ ରଗଡ଼ି ଅଞ୍ଚଳରେ ଜଣେ ଖବରକାଗଜ ବିକ୍ରେତା ଭାବେ କାର୍ଯ୍ୟ କରି ନିଜର ଶିକ୍ଷାକୁ ଆଗକୁ ନେବାରେ ସଫଳ ହୋଇଥିଲେ। ଘରେ ଏକ ମାତ୍ର ରୋଜଗାର କ୍ଷମ ଭାବେ ପିତାଙ୍କ ଅସୁସ୍ଥତା କାରଣରୁ ପରିବାର ଚଳାଇବାର ବୋଝ ତାଙ୍କ ଉପରେ ଥିଲା। ଅନ୍ୟ ପଟେ ପାଠ ପଢିବା ପ୍ରତି ଥିଲା ପ୍ରବଳ ଆଗ୍ରହ। କ’ଣ କଲେ ଘର ଚଳିବ ଓ ସେ ମଧ୍ୟ ପାଠ ପଢି ପାରିବେ ଏହା ଭାବି ଖବରକାଗଜ ବିକ୍ରି ବୃତ୍ତିକୁ ଆପଣାଇଥିଲେ। ସକାଳୁ ଖବରକାଗଜ ବିକ୍ରି କାମରେ ଲାଗି ପରେ ନିତ୍ୟ କର୍ମ ସାରି ନିକଟସ୍ଥ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ। ଏବେ ଗବେଷଣା କ୍ଷେତ୍ରରେ ନିଶ୍ଚିତ ଆଗକୁ ଯିବେ ବୋଲି ଚନ୍ଦ୍ରଶେଖର ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ସଂଘର୍ଷମୟ ଯାତ୍ରାର ସଫଳତା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଲହରି ଖେଳିଯାଇଛି।