କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି।
ନବନିର୍ମିତ ଏହି ପ୍ରଶାସନିକ ଗୃହ ୫୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି। ପୁରୁଣା କାର୍ଯ୍ୟାଳୟଟି ବିପଦସଂକୁଳ ଅବସ୍ଥାରେ ଥିବାରୁ ନୂତନ କୋଠା ନିର୍ମାଣ କରାଯାଇଥିବା ଜଣାପଡ଼ିଛି।ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେରଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ (ଜେଇ), ବ୍ଲକ କର୍ମଚାରୀ ଓ ଭାଜପାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ଏହି ଉପଲକ୍ଷେ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ନୂତନ ପ୍ରଶାସନିକ ଗୃହ ନିର୍ମାଣ ହେବା ଦ୍ୱାରା ବ୍ଲକ କାର୍ଯ୍ୟାଳୟର କାର୍ଯ୍ୟ ପରିଚାଳନା ଅଧିକ ସୁବିଧାଜନକ ହେବ ବୋଲି ଆଶା ପ୍ରକାଶ ପାଇଛି।

