ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ସାହିରେ ରବିବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି।

ସୂଚନାନୁସାରେ, ତୁମୁଡ଼ିବନ୍ଧ ସଦର ମହକୁମାଠାରୁ ମାତ୍ର ୧ କିଲୋମିଟର ଦୂର ବଡ଼ସାହିର ରାମଚନ୍ଦ୍ର ଚାନ୍ଦଙ୍କ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ସେଥିପାଇଁ ଏକ ପାଇଖାନା ଗର୍ତ୍ତ ଖୋଳାଯାଇଥିବା ବେଳେ ଲଗାଣ ବର୍ଷା ଯୋଗୁ ସେଥିରେ ପାଣି ଜମି ରହିଥିଲା। ବର୍ଷା ହେତୁ ଗତ ତିନି ଦିନ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ଥିଲା।

ତେବେ ଆଜି ରବିବାର ପାଗ ଅନୁକୂଳ ଥିବାରୁ କାମ ଆରମ୍ଭ କରିବା ପାଇଁ ରାଜମିସ୍ତ୍ରୀ ଓ ମୂଲିଆଙ୍କୁ ଡାକି ରାମଚନ୍ଦ୍ର ନିର୍ମାଣାଧୀନ ଘରକୁ ଯାଇଥିଲେ। ସେଠାରେ ପାଇଖାନା ଗର୍ତ୍ତର ଜମା ପାଣିରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ତୁରନ୍ତ ତୁମୁଡ଼ିବନ୍ଧ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଏପରି ଏକ ଘୃଣ୍ୟ କାର୍ଯ୍ୟ କିଏ ଏବଂ କାହିଁକି କଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଚାଲିଛି। ଅପରପକ୍ଷରେ ଘର ମାଲିକ ସନ୍ଦେହ ଘେରରେ ଥିବାବେଳେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Share