ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଜଣେ ମହିଳା ପାଇଖାନାକୁ ଯାଇଥିବା ସମୟରେ ପ୍ୟାନ ଭିତରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ତୁରନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା।
ଘଟଣାକୁ ନେଇ ଘସିପୁରା ଥାନାରେ ଅପମୃତ୍ୟୁ ମାମଲା ନଂ ୨୮/୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ମୃତ ନବଜାତ ଶିଶୁକନ୍ୟାର ରକ୍ତ ନମୁନା ଓ ଅନ୍ୟାନ୍ୟ ଆବଶ୍ୟକ ଜୈବିକ ନମୁନା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସଂଗ୍ରହ କରାଯାଇ ଡିଏନ୍‌ଏ ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି।
ଡାକ୍ତରଖାନା ଅଧୀକ୍ଷକ ଡାକ୍ତର କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପାଲିସକୁ ସୂଚନା ଦିଆଯାଇଛି ଏବଂ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ମହିଳା ଓ୍ବାର୍ଡରେ ଥିବା କିଛି ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ଭୋର୍‌ ପ୍ରାୟ ୫ଟାରେ ଜଣେ ଅଜଣା ମହିଳା ସେହି ଅଞ୍ଚଳକୁ ଆସିଥିଲେ ଓ କିଛି ସମୟ ପରେ ତରବରିଆ ଭାବେ ସେଠାରୁ ଚାଲିଯାଇଥିଲେ।
ସିସିଟିଭି ଫୁଟେଜ୍‌, ଡିଏନ୍‌ଏ ପରୀକ୍ଷା ଓ ଅନ୍ୟାନ୍ୟ ବୈଜ୍ଞାନିକ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଏସ୍‌ଡିପିଓ କମଳ ଲୋଚନ ପଣ୍ଡା କହିଛନ୍ତି ତଦନ୍ତ ମଧ୍ୟ ଜାରି ରହିଛି।

Dharitri – Odisha’s No.1 Odia Daily

Share